ଜଟଣୀ: ଭୁବନେଶ୍ୱର ଉପକଣ୍ଠ ଇନଫୋଭ୍ୟାଲି ଥାନା ଅଧୀନସ୍ଥ ଗଙ୍ଗାପଡ଼ା ଠାରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରେ ଉତ୍ତେଜନା ଦେଖାଦେଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ଘଟି ଏକାଧିକ ଛାତ୍ର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, କଲେଜର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଏହି ସଂଘର୍ଷ ସମୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି, ଯେଉଁଥିରେ ପ୍ରଥମ ବର୍ଷର ଏକାଧିକ ଛାତ୍ର ଆହତ ହୋଇଛନ୍ତି। ତେବେ ଆହତ ଛାତ୍ରଙ୍କ ସଠିକ୍ ସଂଖ୍ୟା ଓ ଆହତଙ୍କ ଅବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଏହି ଘଟଣାକୁ ନେଇ ହଷ୍ଟେଲରେ ଆତଙ୍କ ଖେଳିଯାଇଥିଲା। ଉତ୍ତ୍ୟକ୍ତ ଛାତ୍ରମାନେ ହୋହାଲ୍ଲା କରିବା ସହ ହଷ୍ଟେଲ ସମ୍ପତ୍ତି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ପୂର୍ବରୁ ମଧ୍ୟ ଏହି ହଷ୍ଟେଲରେ ଏକାଧିକ ଥର ସମାନ ଧରଣର ଅଶାନ୍ତି ଦେଖାଦେଇଥିଲା। ଯାହା ଫଳରେ ଏବେ କ୍ୟାମ୍ପସ ସୁରକ୍ଷା ଏବଂ ହଷ୍ଟେଲ ପରିଚାଳନାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ଖବର ପାଇ ଇନଫୋଭ୍ୟାଲି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା। ବର୍ତ୍ତମାନ ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। କେଉଁ ପରିସ୍ଥିତିରେ ଏହି ସଂଘର୍ଷ ଘଟିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।