ଭୁବନେଶ୍ୱର: ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବିଧାନସଭା ଗୃହରୁ ସୁର ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହୋଇପଡିଥିଲେ । ଖାଲି ଭାବବିହ୍ୱଳ ହୋଇନଥିଲେ କହିଥିଲେ ଏହା ମୋର ଶେଷ ବିଧାନସଭା । ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍ ଅଧିବେଶନର ଶେଷ ଦିନରେ ସେ ଭାବବିହ୍ୱଳ ହୋଇ ବିଧାନସଭାକୁ ମୁଣ୍ଡିଆ ମାରିଛନ୍ତି।
ଗୃହରୁ ବାହାରିବା ବେଳେ ସେ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି କରିବି ବୋଲି କହିଛନ୍ତି ସୁର । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି । ପ୍ରଥମ ଥର ୧୯୭୭ ମସିହାରେ ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି। ତାଙ୍କ ବଦଳରେ ତାଙ୍କର ଦୁଇ ପୁଅ ମନ୍ମଥ ଓ ସିଦ୍ଧାର୍ଥ ଉଭୟ ରାଜନୀତିକୁ ଆସିବେ।