ରାଜ୍ୟର ୪ଟି ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ନଦୀଗୁଡ଼ିକରେ ପ୍ରବଳ ଜଳପ୍ରବାହ କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶାର ୪ଟି ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଆଜି (ଜୁଲାଇ ୩୧) ଓ ଆସନ୍ତାକାଲି (ଅଗଷ୍ଟ ୧) ପାଇଁ ଏହି ଛୁଟି ଘୋଷଣା ହୋଇଛି।

ଜଗତସିଂହପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରି ଜୁଲାଇ ୩୧ ଏବଂ ଅଗଷ୍ଟ ୧ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ମହାନଦୀରେ ଆସୁଥିବା ପ୍ରବଳ ବନ୍ୟାଜଳ ଯୋଗୁଁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଯାଜପୁର, ଭଦ୍ରକ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମଧ୍ୟ ଜୁଲାଇ ୩୦ ତାରିଖରେ ସମାନ ନିର୍ଦ୍ଦେଶ ଜାରି କରିଥିଲେ।

ବନ୍ୟା ଆଶଙ୍କା ଓ ପ୍ରତିକୂଳ ପାଗ ଯୋଗୁଁ ଏହି ଚାରୋଟି ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ବନ୍ଦ ରହିବ। ଏହି ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବା ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (BEO) ଏବଂ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ସୂଚନା ଦିଆଯାଇଛି।

About The Author: Madhusudan Das