ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷାବର୍ଷ ଶେଷ ସୁଦ୍ଧା ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ହୋଇ ପାରିଲା ନାହିଁ। ଏହାକୁ ନେଇ ସରକାର ଓ ଗଣଶିକ୍ଷା ବିଭାଗ ଯାବତୀୟ ସମାଲୋଚିତ ହେଲେ। ଏହାପରେ ସରକାରଙ୍କ ନିଦ ଭାଙ୍ଗିଛି। ଚଳିତ ଶିକ୍ଷାବର୍ଷରେ ଖରାଛୁଟି ହେବା ପୂର୍ବରୁ ଅର୍ଥାତ୍ ଆସନ୍ତା ୨୭ ତାରିଖ ସୁଦ୍ଧା ପୋଷାକ ବଣ୍ଟନ ପ୍ରକ୍ରିୟା ସାରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବା ସହ ସଠିକ୍ ସମୟରେ କାର୍ଯ୍ୟାନ୍ୱୟନ କରିବାକୁ ଗୁରୁତ୍ୱ ଦିଆଯାଇଛି।
ସୂଚନା ଅନୁସାରେ ଚଳିତ ବର୍ଷ ପୋଷାକ ବଣ୍ଟନ ପାଇଁ ନୂତନ ଭାବେ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀ ବା ଏଜେନ୍ସିକୁ ଚୟନ କରାଯିବ ନାହିଁ। ପୂର୍ବବର୍ଷ ଅର୍ଥାତ୍ ୨୦୨୫-୨୬ ଶିକ୍ଷାବର୍ଷରେ ପୋଷାକ ଯୋଗାଇଥିବା ସଂସ୍ଥା ଚଳିତ ବର୍ଷ ମଧ୍ୟ ପୋଷାକ ଯୋଗାଇବେ। କଳା ତାଲିକା ଭୁକ୍ତ ହୋଇଥିବା ସଂସ୍ଥାକୁ ବିଚାରକୁ ନିଆଯିବ ନାହିଁ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ବସି ପୋଷାକ ବିତରଣ ପାଇଁ ପ୍ରସ୍ତୁତି କରିବେ। ଆସନ୍ତା ୧୦ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କ ତଥ୍ୟ ବିଦ୍ୟାଳୟଗୁଡ଼ିକ ଦାଖଲ କରିବେ। ୧୨ ତାରିଖ ମଧ୍ୟରେ ସେ ସବୁକୁ ଯାଞ୍ଚ କରିବା ସହ ପୂର୍ବରୁ ମନୋନୀତ ସଂସ୍ଥାକୁ ପୋଷାକ ଯୋଗାଇବାକୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ଆସନ୍ତା ୨୭ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ସୁନିଶ୍ଚିତ କରାଯିବ। ପୋଷାକ ମାନ ଯାଞ୍ଚ ସହ ଆସିଥିବା ସମସ୍ତ ଅଭିଯୋଗକୁ ୩୦ ତାରିଖ ମଧ୍ୟରେ ସମାଧାନ କରି ମେ ୨ ତାରିଖ ସୁଦ୍ଧା ଓସେପାକୁ ବିଦ୍ୟାଳୟଗୁଡ଼ିକ ରିପୋର୍ଟ କରିବେ। ଏହି ସମୟ ଅବଧିର ଯେପରି ଖିଲାପ ନ ହୁଏ, ସେଥିପାଇଁ କଡ଼ା ତାଗିଦ କରାଯାଇଛି।
ସଠିକ୍ ସମୟରେ ପୋଷାକ ବଣ୍ଟନ ପାଇଁ ଡିଇଓମାନେ ନିୟମିତ ଭାବେ ସମୀକ୍ଷା କରିବେ। ବ୍ଲକ୍ ଶିକ୍ଷା ଅଧିକାରୀମାନେ ପ୍ରତିଦିନ କାର୍ଯ୍ୟାନ୍ୱୟନ ସମ୍ପର୍କିତ ତଥ୍ୟ ଡିଇଓଙ୍କୁ ପ୍ରଦାନ କରିବେ। ସେହିପରି ପ୍ରତି ୩ ଦିନରେ ଥରେ ଡିଇଓମାନେ ଓସେପାକୁ ରିପୋର୍ଟ କରିବାକୁ କୁହାଯାଇଛି। ମାତ୍ର ୨୦ ଦିନରେ ସମଗ୍ର ପୋଷାକ ବଣ୍ଟନ ପ୍ରକ୍ରିୟା ସରିବା ନେଇ ଅଭିଭାବକ ଓ ଶିକ୍ଷାବିତମାନେ ଆଶଙ୍କା ପ୍ରକାଶ କରିଥିବାବେଳେ ପୋଷାକର ମାନକୁ ନେଇ ମଧ୍ୟ ସନ୍ଦେହ ପ୍ରକଟ କରୁଛନ୍ତି।