ରେଢ଼ାଖୋଲ ( ତପନ କୁମାର ବିଶ୍ୱାଳ ): ଇଛା ଥିଲେ ଧୈର୍ଯ୍ୟ ଥିଲେ ହାରିବା ବାଜି ବି ଜିତିହୁଏ। ଦିନେ ଘରର ଆର୍ଥିକ ସ୍ଥିତି ଭଲ ନ ଥିଲା ବୋଲି ଅଧାରୁ ପାଠ ପଢ଼ା ଛାଡ଼ିବାକୁ ପଡ଼ିଥିଲା। ଘର ଚଳିବା ବି ବଡ଼ କଷ୍ଟକର ହେଉଥିଲା। କିନ୍ତୁ ଛତୁ ଚାଷରୁ ଏବେ ଭଲ ରୋଜଗାର ହେଉଛି। ପରିବାର ଚଳୁଛି। ନିଜେ ପାଠ ପଢ଼ିପାରି ନ ଥିଲେ, କିନ୍ତୁ ଏବେ ନିଜ ଭାଇଭଉଣୀଙ୍କୁ ଆର୍ଥିକ ସହଯୋଗ କରିବା ସହ ନିଜ ଝିଆରୀକୁ ମଧ୍ୟ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି। ଏମିତି ଏକ ପ୍ରେରଣାଦାୟୀ କାହାଣୀ ହେଉଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ସାଇବେର୍ଣ୍ଣି ଗାଁ ସୀତାଙ୍କର।
ପ୍ରାୟ ପାଞ୍ଚ ବର୍ଷ ତଳେ ନିଜ ପିତା ଶୁକ୍ରୁ ପ୍ରଧାନ ଓ ମାତା ରାଧା ପ୍ରଧାନ ଙ୍କୁ ହରାଇବା ପରେ ପରିବାର ଭରଣ ପୋଷଣ କେମିତି କରିବେ ଭାବି ଦୁଃଖରେ ଭାବି ଭାଙ୍ଗି ପଡ଼ିଥିଲେ ସୀତା। ପରେ ଗାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିଲେ। ପଞ୍ଚାୟତ ସମିତି ପକ୍ଷରୁ ଛତୁ ଉତ୍ପାଦନ ପାଇଁ ତାଲିମ ନେବା ପରେ ନିଜ ପ୍ରଚେଷ୍ଟା ରେ ଗାଁରେ କୌଣସି ପ୍ରକାର ଋଣ ନ ନେଇ କିଛି ସଞ୍ଚିତ ଅର୍ଥ ସହିତ ଛତୁ ଚାଷ ଆରମ୍ଭ କରିଥିଲେ। ପ୍ରଥମେ ଆରମ୍ଭରୁ କିଛି କିଛି ଅର୍ଥ ଉପାର୍ଜନ ହୋଇଥିବା ବେଳେ ଛତୁ ଚାଷ କାର୍ଯ୍ୟକୁ ବଢ଼଼ାଇ ୧୫୦ ବେଡ ରେ ଛତୁ ଚାଷ କରି କିଛି ମାସ ହେବ ମାସିକ ପ୍ରାୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ ରୋଜଗାର ହେଉଥିବା ସୀତା କହିଛନ୍ତି। ସୀତା ବାହା ହୋଇ ନାହାନ୍ତି। ତାଙ୍କ ଦୁଇ ଭାଇ ଓ ଭଉଣୀ ହେଲେ ତାଙ୍କ ସଂସାର। ସେମାନଙ୍କ ପିଲାମାନଙ୍କୁ ସୀତା ଆଦରି ନେଇଛନ୍ତି। ଦୁଇ ଭାଇ ଚାଷବାସ କରନ୍ତି, ସେଥିରୁ ରୋଜଗାର ବିଶେଷ କିଛି ନାହିଁ। ସମସ୍ତେ ସୀତାଙ୍କ ଉପରେ ନିର୍ଭରଶୀଳ। ସୀତାଙ୍କୁ ସମସ୍ତେ ଛତୁ ଚାଷରେ ସହଯୋଗ କରିଥାନ୍ତି।
ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସୀତା। ଏହା ସହିତ ଗାଁର ଅନ୍ୟ ମହିଳାମାନଙ୍କୁ ମଧ୍ୟ ସ୍ବାବଲମ୍ବୀ ହେବା ପାଇଁ ସେ ପ୍ରେରଣା ଦେଇ ଆସୁଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେମାନଙ୍କୁ ସଚେତନ କରିବା ସହ ଫାଇଦା ନେବା ପାଇଁ ରାସ୍ତା ଦେଖାନ୍ତି। ସେଥିପାଇଁ ସମସ୍ତେ ତାଙ୍କ ଉପରେ ବେଶ ଖୁସି।
ତାଙ୍କ କହିବା ଅନୁସାରେ ଛତୁ ଚାଷ ମହିଳାମାନଙ୍କ ପାଇଁ ରୋଜଗାରର ଏକ ଭଲ ମାଧ୍ୟମ। କାରଣ ଘର କାମ ସାରିବା ପରେ ବଳକା ସମୟରେ ଏ ଚାଷ ବେଶ ଭଲ ଭାବେ କରିହେବ। ଏହା ସହିତ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ଛତୁଚାଷ ପାଇଁ ତାଲିମ ଦିଆଯାଉଛି। ତେଣୁ ଏହାର ସୁଯୋଗ ନେବା ପାଇଁ ସେ ଗାଁର ମହିଳାମାନଙ୍କୁ ସବୁବେଳେ ବୁଝାଇଥାନ୍ତି। ନିଜେ ମଧ୍ୟ କେତେକ ମହିଳାଙ୍କୁ ଛତୁଚାଷର ତାଲିମ ଦେଇ ସେମାନଙ୍କୁ ସ୍ବାବଲମ୍ବୀ ହେବାରେ ସହଯୋଗ କରିଛନ୍ତି ସୀତା।