ମହାନଦୀର ତଣ୍ଟି ଚିପିଛି ଛତିଶଗଡ଼ : ସଙ୍କଟରେ ରାଜ୍ୟର ଶତାଧିକ ମତ୍ସ୍ୟଜୀବୀ ପରିବାର

ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଶହ ଶହ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍‌ ଓଡିଶା ପାଇଁ ଦିନକୁ ଦିନ କାଳ ହେବାରେ ଲାଗିଲାଣି। ବିଶେଷକରି ଅଣମୌସୁମୀ ଋତୁରେ ଏହା ଉତ୍କଟ ଜଳାଭାବ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଗ୍ରୀଷ୍ମଋତୁରେ ଏଭଳି ସ୍ଥିତି ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ଉପରମୁଣ୍ଡ କଲମାର ସମସ୍ତ ଗେଟ୍‌ ବନ୍ଦ ଥିବା ବେଳେ ମହାନଦୀ ଦିନକୁ ଦିନ ଭୟଙ୍କର ସ୍ଥିତି ଧାରଣ କରିବାରେ ଲାଗିଛି। ଏହି ପରିେପ୍ରକ୍ଷୀରେ ଶୁଖିଲା […]

ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଶହ ଶହ ସଂଖ୍ୟାରେ ବନ୍ଧ ଓ ବ୍ୟାରେଜ୍‌ ଓଡିଶା ପାଇଁ ଦିନକୁ ଦିନ କାଳ ହେବାରେ ଲାଗିଲାଣି। ବିଶେଷକରି ଅଣମୌସୁମୀ ଋତୁରେ ଏହା ଉତ୍କଟ ଜଳାଭାବ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଗ୍ରୀଷ୍ମଋତୁରେ ଏଭଳି ସ୍ଥିତି ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷକରି ଉପରମୁଣ୍ଡ କଲମାର ସମସ୍ତ ଗେଟ୍‌ ବନ୍ଦ ଥିବା ବେଳେ ମହାନଦୀ ଦିନକୁ ଦିନ ଭୟଙ୍କର ସ୍ଥିତି ଧାରଣ କରିବାରେ ଲାଗିଛି। ଏହି ପରିେପ୍ରକ୍ଷୀରେ ଶୁଖିଲା ମହାନଦୀ କେବଳ ଜଳସେଚନ କିମ୍ବା ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବାଧା ସୃଷ୍ଟି କରୁନାହିଁ; ବରଂ ମତ୍ସ୍ୟଜୀବୀଙ୍କ ଚୁଲି ବି ବନ୍ଦ ହେବା ସ୍ଥିତିକୁ ଅାସିଗଲାଣି। ଓଡିଶାର ଶହ ଶହ ମତ୍ସ୍ୟଜୀବୀ ପରିବାରଙ୍କ ଜୀବନଜୀବିକା ସଙ୍କଟରେ ପଡ଼ିଛି। ଶୁଖିଲା ନଈପଠାରେ ପଡ଼ିରହିଛି ଗୁଜୁରାଣ ମେଣ୍ଟାଉଥିବା ଡଙ୍ଗା। ଜଳାଭାବ ଯୋଗୁଁ ଓଡିଶାର ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର ୪ ଖଣ୍ଡ ଗାଁର ଶତାଧିକ ମତ୍ସ୍ୟଜୀବୀ ପରିବାର ଜୀବିକା ହରାଇଲେଣି।

ଚଳିତବର୍ଷ ଛତିଶଗଡ଼ ଆରମ୍ଭରୁ କଲମା ସମେତ ଇବ୍‌, କେଲୋ ଭଳି ସମସ୍ତ ଶାଖା ନୀଦ ଉପରେ ନିର୍ମାଣ କରିଥିବା ବନ୍ଧଗୁଡ଼ିକର ସମସ୍ତ ଗେଟ୍‌ ପକାଇ ପାଣି ଅଟକାଇବା ଆରମ୍ଭ କରିଥିଲା। ଏହାର ପରିଣାମ ସ୍ୱରୂପ, ମାସକ ତଳୁ ହୀରାକୁଦ ଜଳଭଣ୍ଡାରରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇସାରିଛି। ଏପରିକି ଗତବର୍ଷଠାରୁ ଏବର୍ଷ ହୀରାକୁଦ ଜଳସ୍ତର ୩ ଫୁଟ୍‌ କମିଗଲାଣି। ଗତବର୍ଷ ଆଜିର ଦିନରେ ହୀରାକୁଦର ଜଳସ୍ତର ୬୧୦.୯୧ ଫୁଟ୍‌ ଥିବା ବେଳେ ଆଜି ୬୦୭.୬୨ ଫୁଟ୍‌ ରହିଛି। ସେପଟେ ଉପରମୁଣ୍ଡରୁ ଅଧିକାଂଶ ଦିନ ମାତ୍ର ହଜାରେ କ୍ୟୁସେକରୁ ବି କମ୍‌ ପାଣି ହୀରାକୁଦକୁ ପ୍ରବେଶ କରୁଛି। ଆଜି ହୀରାକୁଦକୁ ମାତ୍ର ୮୦୫ କ୍ୟୁସେକ୍‌ ପାଣି ପ୍ରବେଶ କରିଥିବା ବେଳେ ବିଭିନ୍ନ କେନାଲ ଏବଂ ପାୱାର୍‌ ଚ୍ୟାନେଲ ମିଶି ମୋଟ୍‌ ୯୭୩୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଏପରିକି କେବଳ ଖରା ଯୋଗୁଁ ୯୩୫ କ୍ୟୁସେକ୍‌ ଜଳ ବାଷ୍ପିତ ହୋଇ ଉଡ଼ିଯାଉଛି। କହିବାକୁ ଗଲେ ହୀରାକୁଦକୁ ଯେତିକି ପାଣି ପ୍ରବେଶ କରୁଛି, ପ୍ରାୟ ସମ ପରିମାଣର ପାଣି ସୂର୍ଯ୍ୟ ଶୋଷି ନେଉଛି। ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଜଳସ୍ତର ଖସିବାରେ ଲାଗିଛି।

ଗତକାଲି ପୂର୍ବାହ୍ନର ସୂଚନା ଅନୁଯାୟୀ, କଲମା ତା’ର ସମସ୍ତ ୬୬ ଗେଟ୍‌ ବନ୍ଦ କରିଥିବା ବେଳେ କେବଳ ୫୬ ନମ୍ବର ଗେଟ୍‌କୁ ୫୦ ଏମ୍‌ଏମ୍‌ ଖୋଲା ରଖିଛି। ହେଲେ ଏଥିରୁ ୫୦ କ୍ୟୁସେକ୍‌ରୁ ବି କମ୍‌ ପାଣି ତଳ ମୁଣ୍ଡକୁ ଅାସୁଥିବା ବେଳେ ଏହା ଓଡିଶା ଯାଏ ପହଞ୍ଚି ପାରୁନାହିଁ। ଏହି ପରିସ୍ଥିତି ପାଇଁ କଲମାର ତଳମୁଣ୍ଡରେ ଥିବା ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ୩୦ରୁ ଅଧିକ ଗାଁରେ ଉତ୍କଟ ଜଳାଭାବ ଦେଖାେଦଇଛି। ମହାନଦୀ ପାଣି ଭରସାରେ ହେଉଥିବା ଡାଳୁଅ ଚାଷ ବି ବନ୍ଦ ହୋଇଯାଇଛି। ଅପରପକ୍ଷେ, ଓଡିଶାରେ ମହାନଦୀର ପ୍ରବେଶ ସ୍ଥାନରେ ନଈ ଶୁଖିଲା ପଡ଼ିଲାଣି।

ଏହି ସ୍ଥିତି ପାଇଁ ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କଣ୍ଢେଇକେଲା ପଞ୍ଚାୟତର ସେମଲିଆ ଏବଂ ପିଥିଣ୍ଡା ପଞ୍ଚାୟତର ନନ୍ଦପାଲି ଗାଁର ମତ୍ସ୍ୟଜୀବୀଙ୍କ ଜୀବିକା ଠପ୍‌ ହୋଇଗଲାଣି। ସେମଲିଆରେ ପ୍ରାୟ ୩୦ ମତ୍ସ୍ୟଜୀବୀ ପରିବାର ଏବଂ ନନ୍ଦପାଲିରେ ପ୍ରାୟ ୮୦ ପରିବାର ମହାନଦୀରେ ମାଛ ମାରି ପରିବାର ପ୍ରତିପୋଷଣ କରିଥା’ନ୍ତି। ହେଲେ ବର୍ତ୍ତମାନ ଏହି ଦୁଇ ଗାଁ ନିକଟରେ ନଦୀ ଏକପ୍ରକାର ବାଲିଚରରେ ପରିଣତ ହୋଇଥିବାରୁ ସବୁ ଡଙ୍ଗାଗୁଡିକ ଶୁଖିଲା ନଈପଠାରେ ପଡ଼ି ରହିଛି। ସେହିପରି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡ଼ି ଆଦି ଗାଁରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଲାଣି। ଅାଗକୁ ଏଭଳି ହାରରେ ଜଳସ୍ତର ଖସିଲେ ଲଖନପୁର ବ୍ଲକର ମହୁଲପାଲିର ୭୦ ପରିବାର, ଚିଖିଲିର ୫୦ ପରିବାର, ତିଲଗିର ୫୦ ପରିବାର ମଧ୍ୟ ଜୀବିକାଶୂନ୍ୟ ହେବାର ଆଶଙ୍କା ସୃଷ୍ଟି ହେଲାଣି।

ଅପରପକ୍ଷେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲରେ ନ୍ୟାୟିକ ପ୍ରକ୍ରିୟା ଠପ୍‌ ହୋଇଯାଇଥିବା ବେଳେ ଏହା ମୂରବୀଶୂନ୍ୟ ହୋଇପଡିଛି। ଏପରିକି ଟ୍ରିବ୍ୟୁନାଲ ଗଠନର ୭ ବର୍ଷ ପରେ ମଧ୍ୟ ଛତିଶଗଡ଼ର ନିର୍ମାଣ କାମ ରୋକିବା ତଥା ଓଡିଶାର ତା’ର ଧାର୍ଯ୍ୟ ଜଳ ଛାଡ଼ିବାକୁ କୌଣସି ଅନ୍ତରୀଣ ଆଦେଶ ମଧ୍ୟ ଜାରି ହୋଇନାହିଁ। ଯଦ୍ବାରା ଛତିଶଗଡ଼ ତା’ର ଦାଦାଗିରି ଜାରି ରଖିଛି। ବର୍ତ୍ତମାନ ଓଡିଶା, ଛତିଶଗଡ଼ ସମେତ କେନ୍ଦ୍ରରେ ବି ବିଜେପି ସରକାର ଥିବାରୁ ମହାନୀଦକୁ ଟ୍ରିପଲ ଇଞ୍ଜିନ ସରକାର ମିଳିଛି। ତଥାପି ମହାନଦୀର ଭାଗ୍ୟ ଫିଟୁ ନ ଥିବାରୁ ଏହା ଓଡିଶାବାସୀଙ୍କ ପାଇଁ ଅସନ୍ତୋଷର କାରଣ ହେଲାଣି।

About The Author: The Sakala