ସମ୍ବଲପୁର : ପୁଣି ବଢିଲା ହୀରାକୁଦ ଜଳ ଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା। ଦିନ ୩ ଟା ସୁଦ୍ଧା ଡ୍ୟାମ ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୮୧ ହଜାର ୩୨୨ ଘନଫୁଟ ବନ୍ୟାଜଳ। ଏଥି ସହିତ ୨୦ ଗୋଟି ଗେଟ୍ ମାଧ୍ୟମରେ ୩ ଲକ୍ଷ ୬୪ ହଜାର ୯୦୬ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଥିବାର ସୂଚନା ଦେଇଛନ୍ତି ଡ୍ୟାମ କତ୍ତୃପକ୍ଷ। ଅନ୍ୟପଟେ ବର୍ତ୍ତମାନ ୬୨୮ ଫୁଟରେ ପହଞ୍ଚିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ଆବଶ୍ୟକ ହେଲେ ଅଧିକ ଗେଟ ଖୋଲାଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଡ୍ୟାମ କତ୍ତୃପକ୍ଷ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ବୁଧବାର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ୟ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍ରେ ପହଞ୍ଚିଥିଲା। ଏହାପରେ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲାଯାଇଛି । ଏ ଯାଏଁ ବାମପାର୍ଶ୍ୱର ୧୩ ଓ ଡାହାଣ ପାର୍ଶ୍ଵର ୭ଟି ଗେଟ୍ ଖୋଲାଯାଇଛି। ମୋଟ ୨୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ତେଣୁ ଜଳଭଣ୍ଡାରର ଜଳ ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।