ପୁରୀ ସମୁଦ୍ରକୂଳରେ ଲାଗିଲା ନାଲି ପତାକା: ଅଶାନ୍ତ ସମୁଦ୍ର ଯୋଗୁଁ ସ୍ନାନ ଉପରେ କଟକଣା ଲଗାଇଲା ପ୍ରଶାସନ

ପୁରୀ: ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ରକୂଳରେ ନାଲି ପତାକା ଲଗାଯାଇଛି। ସମୁଦ୍ର ଅଶାନ୍ତ ରହିଥିବାରୁ ପର୍ଯ୍ୟଟକମାନଙ୍କୁ ସତର୍କ କରାଇବା ସହ ସମୁଦ୍ରରେ ସ୍ନାନ କରିବା ଉପରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବେଳାଭୂମିର ବିଭିନ୍ନ ସେକ୍ଟରରେ ଲାଇଫ୍ ଗାର୍ଡମାନଙ୍କୁ ମୁତୟନ କରାଯାଇଛି।

ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ସମ୍ଭାବନା ଥିବାରୁ କୌଣସି ପର୍ଯ୍ୟଟକ ଯେପରି ଗାଧୋଇବା ପାଇଁ ସମୁଦ୍ର ଭିତରକୁ ପ୍ରବେଶ ନକରନ୍ତି, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଲାଇଫ୍ ଗାର୍ଡମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିରୋ ଡ୍ରାଉନିଂ ବା ବୁଡ଼ିଜନିତ ମୃତ୍ୟୁକୁ ସମ୍ପୂର୍ଣ୍ଣ ରୋକିବା ଉପରେ ପ୍ରଶାସନ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆଗାମୀ ପାଗକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି। ଅନ୍ୟପକ୍ଷରେ, ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିଆସିଛନ୍ତି। ନିଜର ଡଙ୍ଗା, ଜାଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମତ୍ସ୍ୟ ବିଭାଗର ଅଧିକାରୀମାନେ ମତ୍ସ୍ୟଜୀବୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

About The Author: Madhusudan Das