ଭୁବନେଶ୍ୱର: ପ୍ରତି ରାଜ୍ୟର ଗର୍ବ ହେଉଛି ତାହାର ଭାଷା, ସଂସ୍କୃତି ଓ ସମ୍ପୃକ୍ତ ରାଜ୍ୟର ଜନତା। କିନ୍ତୁ ଆଜି ଓଡ଼ିଆ ଭାଷା ଏବଂ ଅସ୍ମିତା କଥା କହୁଥିବା ବିଜେପି ଗତ ୧୦ ବର୍ଷ ଭିତରେ ଏହି ତିନି ଗର୍ବ ପାଇଁ କ’ଣ କରିଛି? ଓଡ଼ିଶା ଭାଷାର ପ୍ରଚାର, ପ୍ରସାର ଓ ସୁରକ୍ଷା ପାଇଁ ବିଜେପିର ଅବଦାନ କ’ଣ ତାହା ବିଜେପି ନେତାମାନେ କୁହନ୍ତୁ; କିିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏ ଓଡ଼ିଆ ଭାଷା ପାଇଁ ଦିଲ୍ଲୀ ଦରବାରରେ ଲଢେ଼ଇ କଲେ ଓ ୨୦୧୪ ଫେବୃଆରୀ ମାସରେ ୟୁପିଏ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ୧୦ ବର୍ଷ ଅତିବାହିତ ହୋଇଯାଇଛି। ସମସ୍ତେ ଜାଣିଛନ୍ତି ଏହି ୧୦ ବର୍ଷ ଭିତରେ ଓଡ଼ିଆ ଭାଷା ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ବି ଦେଇ ନାହାନ୍ତି କିମ୍ବା ଗୋଟିଏ ପଦକ୍ଷେପ ନେଇ ନାହାନ୍ତି; କିନ୍ତୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ସଂସ୍କୃତ, ତେଲୁଗୁ, ତାମିଲ, ମରାଠୀ ଭଳି ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଭାଷାର ବିକାଶ ପାଇଁ କେନ୍ଦ୍ର ସରକାର ସହାୟତା ପାଇଛନ୍ତି। ଏହା ହେଉଛି ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସରକାରଙ୍କ ଦରଦ। ଓଡ଼ିଆ ଅସ୍ମିତାର କଥା ଯେଉଁମାନେ କହୁଛନ୍ତି, ସେମାନେ ମୋ ସହିତ ଏହି ବିଷୟରେ ତର୍କକୁ ଆସନ୍ତୁ। ମୁଁ କହିବି ଓଡ଼ିଶାର ଗର୍ବ ଓ ଓଡ଼ିଆ ଅସ୍ମିତା କ’ଣ। ଓଡ଼ିଆ ଅସ୍ମିତା କଥା କହୁଥିବା ଓଡ଼ିଶା ବିଜେପି ନେତା ତର୍କ ପାଇଁ ମଞ୍ଚକୁ ଆସନ୍ତୁ, ମୋ ସହିତ ତର୍କ କରନ୍ତୁ ବୋଲି ଏଏନ୍ଆଇକୁ ଏକ ସାକ୍ଷାତକାରରେ କହିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।
ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଆମେ ସମସ୍ତେ ଜାଣିଛନ୍ତି ଓଡ଼ିଶାୀ ସଙ୍ଗୀତ ସମଗ୍ର ବିଶ୍ୱରେ ପରିଚୟ ପାଇଛି। ଏହି ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ବାର କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। କିନ୍ତୁ ୧୦ ବର୍ଷ ଧରି ଭାଷାକୁ ସହାୟତା ଦେଇ ନ ଥିବା କେନ୍ଦ୍ର ସରକାର ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ପାତରଅନ୍ତର ନୀତି ଅବଲମ୍ବନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଅସ୍ମିତାର ପରିଚୟ। ମହାପ୍ରଭୂ ସମଗ୍ର ବିଶ୍ୱରେ ପୂଜିତ। କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗ ମହାପ୍ରଭୂଙ୍କ ସହିତ ଜଡିତ; କିନ୍ତୁ ଯେତେବେଳେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ହେଲା ଓଡ଼ିଶାରୁ କେନ୍ଦ୍ରରେ ମନ୍ତ୍ରୀ ଥିବା ବ୍ୟକ୍ତି ଏହାକୁ ବନ୍ଦ କରିବା ପାଇଁ ପୂରା ବଳ ଲଗାଇ ଦେଲେ। କୌଣସିମତେ ପରିକ୍ରମା ପ୍ରକଳ୍ପରେ ବିଘ୍ନ ଆଣିବା ପାଇଁ ଷଡଯନ୍ତ୍ର କଲେ। ଭଲ କାମ କରି ମୁଖ୍ୟମନ୍ତ୍ରୀ କାଳେ ଅମର ହୋଇଯିବେ, ସେହି ଆଶଙ୍କାରେ କେନ୍ଦ୍ର ମନ୍ତ୍ରୀ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଉଦ୍ୟମ କଲେ। ମହାନ୍ ସ୍ୱାଧୀନତା ସଂଗ୍ରାମୀ, ନୀତିନିଷ୍ଠ ରାଜନେତା ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ବିଜୁ ବାବୁ ହେଉଛନ୍ତି ପ୍ରତି ଓଡ଼ିଆଙ୍କ ଗର୍ବ ଗୌରବ। ସେ ବ୍ରିଟିଶ ମାନଙ୍କ ସହିତ ଲଢ଼ିଥିଲେ, ଦେଶ ପାଇଁ ଅନେକ ଥର ଜେଲ୍ ଯାଇଥିଲେ। ବାଂଲାଦେଶ ଯୁଦ୍ଧରେ ସେ ବଡ଼ ଭୂମିକା ନିର୍ବାହ କରିଥିଲେ। ଆଜି ଯେଉଁ କାଶ୍ମୀର କଥା ସମସ୍ତେ ଚର୍ଚ୍ଚା କରୁଛନ୍ତି, ପ୍ରଥମ ପାଇଲଟ୍ ଭାବେ ବିଜୁ ବାବୁ ସେଠାରେ ନିଜ ଜୀବନକୁ ବାଜି ଲଗାଇ ବିମାନ ଅବତରଣ କରିଥିଲେ। ଧ୍ୱସ୍ତବିଧ୍ୱସ୍ତ ଇଣ୍ଡୋନେସିଆରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସେ କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶ ପାଇଁ ଗୌରବ। ବିଶ୍ୱରେ ପ୍ରଥମେ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଏବଂ ଦ୍ୱିତୀୟରେ ବିଜୁ ବାବୁଙ୍କ ସମ୍ପର୍କରେ ଆଲୋଚନା ହୁଏ। ସେ କ’ଣ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ନୁହନ୍ତି? କିନ୍ତୁ କେନ୍ଦ୍ର ସରକାର ଦେଶର ବହୁତ ଲୋକଙ୍କୁ ଭାରତ ରତ୍ନ ଦେଉଥିବା ବେଳେ ବିଜୁ ବାବୁଙ୍କ ବେଳକୁ ଆଖି ବୁଜି ଦେଇଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବା ସଂକ୍ରାନ୍ତ ପ୍ରଶ୍ନରେ ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟର ନିଜ ଅଞ୍ଚଳରୁ ଲଢ଼ନ୍ତୁ ବୋଲି ରାଜ୍ୟର ୧୪୭ଟି ଆସନର ଜନସାଧାରଣ ଚାହାନ୍ତି । ତେଣୁ ସବୁ ଥର ନବୀନ ବାବୁ ଦୁଇଟି ଆସନ ଚୟନ କରୁଛନ୍ତି। ଗତ ଥର ବିଜେପୁରରୁ ସେ ବହୁମତରେ ନିର୍ବାଚିତ ହୋଇଥିଲେ। ସେହି ୩ ବର୍ଷରେ ବିଜେପୁରରେ ଅଭୁତପୂର୍ବ ବିକାଶ କରିଛନ୍ତି। ଏଥର ସେ କଣ୍ଟାବାଞ୍ଜିରୁ ଲଢ଼ୁଛନ୍ତି। ରାଜ୍ୟରେ କଂଗ୍ରେସ୍ର ସ୍ଥିତି ସମ୍ପର୍କରେ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଦୀର୍ଘ ବର୍ଷ ହେଲା କ୍ଷମତାଚ୍ୟୁତ ହୋଇ କଂଗ୍ରେସ୍ ଦଳ ଅତ୍ୟନ୍ତ ଦୁଃଖଦ ସ୍ଥିତିରେ ଅଛି। ଏପରିକି କିଛି ଆସନରେ ବିଜେପି ସହିତ ହାତ ମିଳାଇବା ପାଇଁ କଂଗ୍ରେସ୍ ବାଧ୍ୟ ହୋଇଛି। ସମ୍ବଲପୁର ଏବଂ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଏବଂ କଂଗ୍ରେସ୍ ମିଳିତ ଭାବେ ଲଢ଼ୁଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ବିଜେଡି-ବିଜେପି ବିବାହ ସଂକ୍ରାନ୍ତ ମନ୍ତବ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ରାହୁଲ ଅବିବାହିତ। ତେଣୁ ସେ କୌଣସି ବିବାହ ସମ୍ପର୍କରେ କିଛି ନ କହିବା ଭଲ।
ଏହି ଅବସରରେ ସେ ଚଳିତ ନିର୍ବାଚନରେ ବିଜେଡ଼ି ୨୦୧୯ ଲୋକସଭା ଆସନ ତୁଳନାରେ ଅଧିକ ଆସନ ପାଇବ ଏବଂ ବିଧାନସଭାରେ ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବ ବୋଲି ଦୃଢେ଼ାକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେଡି କ୍ଲିନ୍ ସ୍ୱିପ୍ କରିବ। ଅନ୍ୟପକ୍ଷରେ ୨୦୧୯ ତୁଳନାରେ ବିଜେପି ବହୁତ କମ୍ ଆସନ ପାଇବ। ଯଦି ବିଜେପି ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସହିତ ନିର୍ବାଚନ ଲଢେ଼ ତେବେ ମଧ୍ୟ ନବୀନ ପଟ୍ଟନାୟକ ବହୁମତରେ ସରକାର ଗଢ଼ିବେ। ନବୀନ ପଟ୍ଟନାୟକ ଆମ ସେନାପତି ଏବଂ ଆମେ ହେଉଛୁ ତାଙ୍କର ଜଣେ ଜଣେ ସୈନିକ। ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଯେଉଁ ବିକାଶ ହୋଇଛି, ଯେଉଁ ରୂପାନ୍ତରଣ ହୋଇଛି ତାହା ହେଉଛି ବିଜେଡିର ବଳ। ବିକାଶକୁ ଆଧାର କରି ବିଜେଡି ନିର୍ବାଚନ ଲଢ଼ୁଛି। ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କର ପରସ୍ପର ପାଇଁ ଯଥେଷ୍ଟ ସମ୍ମାନ ରହିଛି। ଦଳୀୟ ଭାବନାରୁ ଉଦ୍ଧ୍ୱର୍କୁ ଯାଇ ଉଭୟ ନେତା ରାଜ୍ୟ ଏବଂ ଦେଶର ମଙ୍ଗଳ ପାଇଁ ପରସ୍ପରକୁ ସହଯୋଗ କରନ୍ତି। କାହା ମଧ୍ୟରେ ତିକ୍ତତା ନାହିଁ।
ଗତ ୧୦ ବର୍ଷ ଭିତରେ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ, ରାଜ୍ୟର ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଛନ୍ତି ତାହାର ପଟାନ୍ତର ନାହିଁ। ସବୁ କ୍ଷେତ୍ରରେ ରୂପାନ୍ତରଣ ଆସିଛି। ଓଡ଼ିଆ ଅସ୍ମିତା କଥା କହୁଥିବା ଲୋକ ଏହି ୧୦ ବର୍ଷ ଭିତରେ ଲୋକଙ୍କ ପାଇଁ କ’ଣ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରଶ୍ନ କରିଛନ୍ତି। ୨୦୨୪ ନିର୍ବାଚନରେ ସେମାନଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ। ତେଣୁ ଏପରି ମିଥ୍ୟା କୁତ୍ସାରଟନା କରୁଛନ୍ତି, ମନଗଢ଼ା କାହାଣୀ କହୁଛନ୍ତି। କିନ୍ତୁ ଓଡ଼ିଶାବାସୀ ସବୁ ଦେଖୁଛନ୍ତି ଆଉ ଏହି ନିର୍ବାଚନରେ ସେମାନଙ୍କୁ ଉଚିତ ଜବାବ ମିଳିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି।ତାଙ୍କ ପାଇଁ ଜା୍ତୀୟତାବାଦ ଗର୍ବ ବୋଲି ବିଜେପି କହିଥାଏ। ତେଣୁ କିଏ ବାହାର ଲୋକ ତାହା ବିଜେପି ପ୍ରଥମେ ବୁଝାଇବା ଆବଶ୍ୟକ। ଯଦି ଧର୍ମେନ୍ଦ୍ର ପ୍ରଧାନ ବିହାର କିମ୍ବା ମଧ୍ୟପ୍ରଦେଶ ଯାଇ ନିର୍ବାଚନ ଲଢ଼ୁଛନ୍ତି ତା ହେଲେ ତାଙ୍କୁ କଣ ବାହାର ଲୋକ ବୋଲି କୁହାଯିବ? କିନ୍ତୁ ମୁଁ ତ ନିର୍ବାଚନ ଲଢ଼ୁ ନାହିଁ। କିନ୍ତୁ ଏହା ସତ୍ତେ୍ୱ ମୁଁ ବିରୋଧୀଙ୍କ ନିଶାଣରେ ରହିଛି। ମୁଁ ମଧ୍ୟ ସବୁ ପ୍ରକାର ଆକ୍ରମଣ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି। ଏହା ଆମ ଦଳ ପାଇଁ ବହୁତ ଭଲ। ସେହିପରି ଆପଣ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାଣ୍ଡିଆନ୍ କହିଛନ୍ତି ଯେ ମୁଁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧ, ତାଙ୍କର ପ୍ରତିବଦ୍ଧତା, ତାଙ୍କର କଠିନ ପରିଶ୍ରମ, ଓଡ଼ିଶାବାସୀଙ୍କ ସଶକ୍ତିକରଣ ପାଇଁ ତାଙ୍କ ଚିନ୍ତାଧାରାର ଉତ୍ତରାଧିକାରୀ। ଓଡ଼ିଶାରେ ମୋ ପରିଚୟ ହେଉଛି ମୁଁ ନବୀନ ପଟ୍ଟନାୟକଙ୍କ ପାଇଁ କାମ କରୁଛି। ଏହି ପରିଚୟ ପାଇଁ ଓଡ଼ିଶାବାସୀ ମୋତେ ଭଲ ପାଉଛନ୍ତି, ମୋତେ ଆଶୀର୍ବାଦ କରୁଛନ୍ତି। ଏହି ପରିଚୟ ସହିତ ଶେଷ ପର୍ଯ୍ୟନ୍ତ ବଞ୍ଚିବାକୁ ଚାହିଁବି।