ରାୟଗଡ଼ାରେ ଅଭାବନୀୟ ଘଟଣା: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ରାୟଗଡ଼ା: ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶାନ୍ତିନଗର ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ଜଣ ନାବାଳିକାଙ୍କର ପ୍ରାଣହାନି ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ମୃତକ ଦ୍ୱୟ ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ଅଧୀନସ୍ଥ ବଡ଼ନାୟକଗୁଡ଼ା ଗ୍ରାମର ୧୨ ବର୍ଷୀୟା ନୀଲୁ କାଡ୍ରାକା ଏବଂ ୧୨ ବର୍ଷୀୟା କାମି ତିଆକା। ଉଭୟ ନାବାଳିକା ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ ବୋଲି ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ସାଙ୍ଗ ମିଶି ଗାଁ ନିକଟସ୍ଥ ଶାନ୍ତିନଗର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଗଭୀର ଜଳ ମଧ୍ୟକୁ ଚାଲିଯାଇ ଉଭୟେ ବୁଡ଼ି ଯାଇଥିଲେ। ପରେ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଖରୀରୁ ସେମାନଙ୍କୁ ଉଦ୍ଧାର କରି ବଡ଼ନାୟକଗୁଡ଼ା ଗ୍ରାମକୁ ଆଣିଥିଲେ, କିନ୍ତୁ ସେତେବେଳକୁ ସେମାନଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଖବର ପାଇବା ମାତ୍ରେ କଲ୍ୟାଣସିଂହପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଶେଷ ସୂଚନା ସୁଦ୍ଧା ଉଭୟ ମୃତଦେହର ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

About The Author: Madhusudan Das