ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାରେ ଦେବଦୂତ ସାଜିଛନ୍ତି ରୂପୁଲି ଜିକାକା

ରାୟଗଡ଼ା (ଅମଜାଦ ଅଲ୍ଲୀ): ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ରହିଛି। କିନ୍ତୁ ବେଳେବେଳେ ସଚେତନତାର ଅଭାବରୁ ଲୋକେ ଜାଣିପାରନ୍ତିନାହିଁ। ଦୁର୍ଗମ ଅଞ୍ଚଳରେ ଏ ସମସ୍ୟା ବେଶୀ। ଏ ସମସ୍ୟାକୁ ମର୍ମେମର୍ମେ ଅନୁଭବ କରି ଦୂର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ରାୟଗଡ଼ା ଜିଲ୍ଲା ହାଲୁଆ ପଞ୍ଚାୟତ ବିଦ୍ୟାଳୟ ସାହିର ରୂପୁଲି ଜିକାକା। ବୟସ ୭୬; କିନ୍ତୁ ଚେହେରାରେ କ୍ଲାନ୍ତି ନାହିଁ। ସରକାରୀ ଯୋଜନାର ସୁଫଳ ନେବା ପାଇଁ ଲୋକଙ୍କୁ ବୁଝାଇବାରେ ସେ ସବୁବେଳେ ବ୍ୟସ୍ତ। ସଚେତନତା ଅଭାବରୁ […]

ରାୟଗଡ଼ା (ଅମଜାଦ ଅଲ୍ଲୀ): ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନା ରହିଛି। କିନ୍ତୁ ବେଳେବେଳେ ସଚେତନତାର ଅଭାବରୁ ଲୋକେ ଜାଣିପାରନ୍ତିନାହିଁ। ଦୁର୍ଗମ ଅଞ୍ଚଳରେ ଏ ସମସ୍ୟା ବେଶୀ। ଏ ସମସ୍ୟାକୁ ମର୍ମେମର୍ମେ ଅନୁଭବ କରି ଦୂର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ରାୟଗଡ଼ା ଜିଲ୍ଲା ହାଲୁଆ ପଞ୍ଚାୟତ ବିଦ୍ୟାଳୟ ସାହିର ରୂପୁଲି ଜିକାକା। ବୟସ ୭୬; କିନ୍ତୁ ଚେହେରାରେ କ୍ଲାନ୍ତି ନାହିଁ। ସରକାରୀ ଯୋଜନାର ସୁଫଳ ନେବା ପାଇଁ ଲୋକଙ୍କୁ ବୁଝାଇବାରେ ସେ ସବୁବେଳେ ବ୍ୟସ୍ତ।

ସଚେତନତା ଅଭାବରୁ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ ରୂପୁଲି। ଏହା ତାଙ୍କ ମନକୁ ଭାରି ଆନ୍ଦୋଳିତ କରିଥିଲା। ତାଙ୍କ ଦଶା କାହାକୁ ନ ଭୋଗିବାକୁ ପଡୁ ସେଥିପାଇଁ ଜନତା ଓ ପ୍ରଶାସନ ମଧ୍ୟରେ ରୂପୁଲି ଯୋଗସୂତ୍ର ରଖିଆସୁଛନ୍ତି।
ସକାଳ ୯ଟା ବାଜିଲେ ରୂପୁଲି ଘରୁ ବାହାରି ପଡ଼ନ୍ତି। ବାର୍ଦ୍ଧକ୍ୟ ଭତ୍ତା, ମୃତ୍ୟୁ ପ୍ରମାଣ ପତ୍ର, ଜନ୍ମ ପ୍ରମାଣ ପତ୍ର କରିବା ପାଇଁ ସେ ଲୋକଙ୍କୁ ବୁଝାନ୍ତି। ଏଥିପାଇଁ ଜରୁରୀ କାଗଜପତ୍ର ସଂଗ୍ରହ ପାଇଁ ସହଯୋଗ କରନ୍ତି। କେହି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ନ ଥିଲେ ତାଙ୍କୁ ନେଇ ପ୍ରଶାସନ ପାଖରେ ପହଞ୍ଚି ଯାଆନ୍ତି।

ରାତି ପାହିଲେ ରୂପୁଲିଙ୍କ ଦୂଆରେ ହିତାଧିକାରୀଙ୍କ ଭିଡ଼। ବ୍ଲକ ଅଫିସକୁ ଯିବା ପୂର୍ବରୁ ଲୋକେ ରୂପୁଲିଙ୍କୁ ହିଁ ଖୋଜନ୍ତି। ଶୀଘ୍ର ଅସୁବିଧା ଦୂର ପାଇଁ ଅନୁରୋଧ କରନ୍ତି। କୋଡ଼ାପାଡ଼ି, ଜପାଖାଲ, ଜମୂର୍, କୋଟଗୁଡା, ତଳ ଗୁରୁଟି, ବାରିଝୋଲା, ସଙ୍କେଶ ଓ ଗୁରୁଟିଗୁଡ଼ାର ଗାଁ ଲୋକଙ୍କ ସେବାରେ ସେ ନିଜକୁ ସମର୍ପିତ କରିଦେଇଛନ୍ତି। କେବେ ଦେହ ଖରାପ ବାହାନା କରି ନାହାନ୍ତି କିମ୍ବା କ୍ଲାନ୍ତି ପାଇଁ କାହାକୁ ମନା କରିନାହାନ୍ତି। ଏମିତି ୩୧ ବର୍ଷ ବିତିଗଲାଣି। ୪ ହଜାରରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପାଇବାରେ ସେ ସହଯୋଗ କରିଛନ୍ତି। ଏଥିପାଇଁ ଗାଁ ଲୋକଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ବହୁତ ପ୍ରଶଂସା କରନ୍ତି। ବିଭିନ୍ନ ନାଗରିକ ଓ ସାମାଜିକ ସଂଗଠନ ଦ୍ବାରା ସେ ସମ୍ମାନିତ ହୋଇଛନ୍ତି।

About The Author: The Sakala