ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ାରେ ପୁଣି ଉତ୍ତେଜନା: ଥାନା ଆଗରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ରାୟଗଡ଼ା: ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ା ସହରରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ରାତିରେ ରାୟଗଡ଼ା ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ଘଟଣାରେ ପଥରମାଡ଼ ଏବଂ ଆକ୍ରମଣ ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ଅଶାନ୍ତ ହୋଇପଡ଼ିଥିଲା ସାରା ସହର । ଏବେ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପିଟଲା ସାହି ଏବଂ ରେଲି ସାହିର ଯୁବକମାନଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ରେଲି ସାହିର କିଛି ଯୁବକ ଅନ୍ୟ ସାହିର ଲୋକଙ୍କ ସହ ଅଶାଳୀନ ଆଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ପିତଲା ସାହିର ବାସିନ୍ଦା ରାୟଗଡ଼ା ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ରେଲି ସାହିର ଯୁବକମାନେ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ। ପରେ ଏହା ଏକ ବଡ଼ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ଥାନା ସମ୍ମୁଖରେ ପ୍ରବଳ ପଥରମାଡ଼ ହୋଇଥିଲା, ଯାହା ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା।

ଏହି ହିଂସାରେ ତିନି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ପିତଲା ସାହିର ଆନ୍ନାମାଝି ୟାକ୍କା, ତ୍ରିନାଥ ମେଲେକା ଏବଂ ରେଲି ସାହିର ଶୁଣ୍ଡି ସୁରଜ। ଗୁରୁତର ଅବସ୍ଥାରେ ଏହି ତିନିଜଣଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ସହରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଥାନା ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ଏଏସପି ରାମେନ୍ଦ୍ର କୁମାର, ଏସଡିପିଓ ଗୌରହରି ସାହୁ ଏବଂ ଆଇଆଇସି ପ୍ରସନ୍ନ ବେହେରାଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଖପାଖ ଥାନାରୁ ଅତିରିକ୍ତ ପୋଲିସ ଫୋର୍ସ ମଧ୍ୟ ଡକାଯାଇଛି। 

ସୂଚନାଯୋଗ୍ୟ ଯେ, ଗତ ମେ ୯ ତାରିଖରେ ଘଟିଥିବା ନିଖିଲ ହତ୍ୟାକାଣ୍ଡ ସହ ଏହି ତାଜା ହିଂସାର ସିଧାସଳଖ ସମ୍ପର୍କ ରହିଛି। ପୂର୍ବ ଶତ୍ରୁତା ଏବଂ ଜୁଆ ଆଡ୍ଡା ଲୁଟ୍ ବିବାଦକୁ କେନ୍ଦ୍ର କରି ନିଖିଲଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ମୋଟ ୨୧ ଜଣ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

About The Author: Madhusudan Das