ରାୟଗଡା: ରାୟଗଡା କାଶୀପୁର ମନୁଷପଦର ଗାଁରେ ଅଜଣା ରୋଗ ଆତଙ୍କ । ଏହି ଅଜଣା ରୋଗରେ ୫ ଜଣଙ୍କର ମୃତ୍ଯୁ ହୋଇଛି। ଅନେକ ଆକ୍ରାନ୍ତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗାଁକୁ ସାତ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି । ଟିମରେ ଭୁବନେଶ୍ୱରରୁ ଆଡିସନାଲ ଡାଇରେକ୍ଟର ଡ଼ାକ୍ତର ଆଦିତ୍ୟ ମହାପାତ୍ର, ଜଏଣ୍ଟ ଡାଇରେକ୍ଟର, କୋରାପୁଟ SLN ମେଡିକାଲ କଲେଜର ୫ ଜଣଙ୍କ ସହ ରାୟଗଡର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ଅନୁଧ୍ୟାନ ପରେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ।
ସୂଚନା ଅନୁଯାୟୀ, ଚଳିତ ମାସ ୩ ତାରିଖ ଠାରୁ ଏହି ରୋଗ ବ୍ୟାପିଲାଣି । ଏହି ରୋଗରେ ଆକ୍ରାନ୍ତ ଶିଶୁମାନଙ୍କ ଗଳା ଫୁଲିବା ସହିତ ଜ୍ବର ହେଉଛି । ବିଶେଷ କରି ଏହି ରୋଗରେ ଶିଶୁ ଏବଂ ବୃଦ୍ଧା ଆକ୍ରାନ୍ତ ହେଉଛନ୍ତି। ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯାଇଥିବା ସୂଚନା ମିଳିଛି। ଗତକାଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ, କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିମ ପକ୍ଷରୁ ଡିପଥେରିଆ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି। ପୋଡଶୀ ଗାଁକୁ ରୋଗ ବ୍ୟାପୁଥିବା ସୂଚନା ମିଳିଛି।