ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆଜି ଓ କାଲି ରାଜ୍ୟର ୮ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦୁଇ ଦିନ ଧରି ରାଜ୍ୟରେ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା । ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବିଷୁବ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ସୁସ୍ପଷ୍ଟ ହେବ । ଏହାର ପ୍ରଭାବରେ ଆଜି ଓ ମଙ୍ଗଳବାର ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସଂପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। 

କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର କେତେକ ସ୍ଥାନରେ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଏତଦ୍‌ ବ୍ୟତୀତ ଅନ୍ୟ କେତେକ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ଜଣାପଡ଼ିଛି। ସେହିପରି ମଙ୍ଗଳବାର ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାରେ ବର୍ଷା ସହ ୩୦ରୁ ୪୦ କିମି  ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

About The Author: Madhusudan Das