ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଆସନ୍ତା ୨୬ ତାରିଖଠାରୁ ଦେଶ ଉପରେ ଏକ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବ। ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଜାରି ରହିଛି । ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଆଜି ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ କିଛି ଦିନ ହେବ ରାଜ୍ୟରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଗକୁ ପୁଣି ପଶ୍ଚିମା ଝଡ଼ ଯୋଗୁଁ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଚଳିତ ସପ୍ତାହ ଶେଷ ଯାଏ ବିଶେଷ ଗରମ ହେବାର ସମ୍ଭାବନା ନାହିଁ।
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆ ପଥର ସହ ବର୍ଷା ହୋଇଛି। ବର୍ଷା ଯୋଗୁଁ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ୩୭.୪ ଡିଗ୍ରୀ ସହ ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ମଙ୍ଗଳବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ବୃଦ୍ଧି ହୋଇ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାର ମଧ୍ୟ କିଛି ଜିଲ୍ଲାରେ ସମାନ ସ୍ଥିତି ଦେଖାଯିବା ସହିତ ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ଗୁରୁବାର ଅନେକ ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ପବନ ହେବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।