ବଢ଼ିବ କାଳବୈଶାଖୀ ପ୍ରଭାବ, ଆଜି ପାଇଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ି ଚାଲିଛି। ସୋମବାର ମୌସୁମୀ ଦକ୍ଷିଣ ଆରବ ସାଗରର ଆହୁରି ଅନେକ ଅଞ୍ଚଳ, ମାଳଦୀପ ଏବଂ କୋମରିନ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର, କେନ୍ଦ୍ରୀୟ ବଙ୍ଗୋପସାଗରର ଆହୁରି କିଛି ଅଞ୍ଚଳ ସହ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ପରିସ୍ଥିତି ଅନୁକୂଳ ରହିଥିବାରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର ଆହୁରି କିଛି ଅଂଶ, ମାଳଦ୍ୱୀପ ଏବଂ କୋମୋରିନ୍‌ର ବାକି ଅଞ୍ଚଳ, ଦକ୍ଷିଣ […]

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ି ଚାଲିଛି। ସୋମବାର ମୌସୁମୀ ଦକ୍ଷିଣ ଆରବ ସାଗରର ଆହୁରି ଅନେକ ଅଞ୍ଚଳ, ମାଳଦୀପ ଏବଂ କୋମରିନ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର, କେନ୍ଦ୍ରୀୟ ବଙ୍ଗୋପସାଗରର ଆହୁରି କିଛି ଅଞ୍ଚଳ ସହ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ପରିସ୍ଥିତି ଅନୁକୂଳ ରହିଥିବାରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର ଆହୁରି କିଛି ଅଂଶ, ମାଳଦ୍ୱୀପ ଏବଂ କୋମୋରିନ୍‌ର ବାକି ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗରର, କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଂଶରେ ପ୍ରବେଶ କରିବାର ଆଶା ସୃଷ୍ଟି ହୋଇଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ସ୍ଥିତି ଜାରି ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରତିଦିନ ଅପରାହ୍ଣ ପରେ କାଳବୈଶାଖୀଜନିତ ସ୍ଥିତି ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଅନୁଭୂତ ହେଉଛି। ଏଭଳି ସ୍ଥିତି ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଏହି ସମୟରେ ଅନେକ ସ୍ଥାନରେ ବଜ୍ରପାତ ଆଶଙ୍କା କରି ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ପାଣିିପାଗ କେନ୍ଦ୍ରର ପରାମର୍ଶ ଅନୁଯାୟୀ, ମଙ୍ଗଳବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ବ୍ୟାପକ କାଳବୈଶାଖୀ ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନର ବେଗ ୪୦-୫୦ କିମି ରହିବା ନେଇ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

କାଳବୈଶାଖୀର ପ୍ରଭାବ ବୁଧବାରଠାରୁ ବଢ଼ିବା ସହ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ଅନେକ ସ୍ଥାନରେ ବର୍ଷାର ମାତ୍ରା ବୃଦ୍ଧି ସାଙ୍ଗକୁ ପବନର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ। ଏମିତି କି ଅନେକ ସ୍ଥାନରେ ପବନର ବେଗ ୬୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବୁଧବାରଠାରୁ ପରବର୍ତ୍ତୀ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। କାଳବୈଶାଖୀ ପ୍ରଭାବ ମଧ୍ୟରେ ମଙ୍ଗଳବାର କିଛି କିଛି ସ୍ଥାନରେ ପ୍ରବଳ ଗୁଳୁଗୁଳି ନେଇ ମଧ୍ୟ ଆଶଙ୍କା ରହିଛି।

About The Author: The Sakala