ବ୍ରହ୍ମଗିରି/ବ୍ରହ୍ମପୁର : ଆଜି ରାଜ୍ୟରେ ବଜ୍ରପାତରେ ୨ ଜଣଙ୍କର ଜୀବନ ଯାଇଛି। ମୃତ୍ୟୁବରଣ କରିଥିବା ୨ ଜଣଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ଜଣେ ରହିଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲାରୁ ଜଣେ ରହିଛନ୍ତି।
ଆଜି ମଧ୍ୟାହ୍ନରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଘନଘନ ବଜ୍ରପାତ ହୋଇଛି । ବଜ୍ରପାତରେ ଜଣେ ଯୁବକଙ୍କ ମୃତ ହୋଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ଗୋବର୍ଦ୍ଧନ ପୁର ଗାଁର ୨୩ ବର୍ଷୀୟ ମନୋଜ କୁମାର ନାୟକ ବୋଲି ଜଣାପଡିଛି । ଗହୀର ବିଲରେ ବାପା ଓ ମା ପୋଟଳ ବିଲରେ ବର୍ଷା ପାଣି ବାହାର କରିବାକୁ ଯାଇଥିଲେ । ସେହି ସମୟରେ ଘନଘନ ବଜ୍ରପାତ ହେବାରୁ ବଡ ପୁଅ ମନୋଜ ବାପା ମାଙ୍କୁ ଘରକୁ ଡାକିବାକୁ ଯାଇଥିଲା। ବିଲ ନିକଟରେ ପହଞ୍ଚି ବାପା ମାଙ୍କୁ ଘରକୁ ଆସିବା ପାଇଁ ଡାକୁ ଥିବା ବେଳେ ହଠାତ୍ ବାପା ମାଙ୍କ ସାମ୍ନାରେ ମନୋଜଙ୍କ ଦେହରେ ବଜ୍ରପାତ ମାଡ଼ ହୋଇଥିଲା। ବାପା ମା ଚିତ୍କାର କରି ମୋ ପୁଅ ଜଳିଗଲା କହିବାରୁ ପାଖାପାଖି ଥିବା ବିଲରେ ଲୋକେ ଦଉଡ଼ି ଆସି ମନୋଜକୁ ଅଧା ପୋଡ଼ା ଅବସ୍ଥାରେ ବିଲରୁ ଆଣି ଏକ ଅଟୋ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳେକୁ ମନୋଜଙ୍କ ଜୀବନ ଚାଲିଯାଇଥିଲା।
ଅନ୍ୟପଟେ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧୀନ ବମକେଇରୁ ନାରାୟଣପୁର ଫେରୁଥିବା ସମୟରେ ରାଜେଶ ଗୌଡ଼ ବଜ୍ରପାତର ସାମ୍ନା କରିଥିଲେ। ବଜ୍ରପାତ ଯୋଗୁଁ ସେ ହଠାତ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜେଶ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ରେଜଲ୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଘଟଣା ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।