ପୁରୀ : ଜୁନ୍ ୨୭ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। କାଳିଆ ଠାକୁରଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିବାକୁ ଭକ୍ତ ଅପେକ୍ଷା କରିଥିବା ବେଳେ ପ୍ରଶାସନ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି କରିବାରେ ଲାଗିଛନ୍ତି। ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା ସହ ଏଆଇ କ୍ୟାମେରା ଲଗାଇବା ପାଇଁ ପ୍ରଶାସନ ଯୋଜନାକରିଛି। ତେବେ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ରଥଯାତ୍ରାର କଣ ନୀତି ନିର୍ଘଣ୍ଟ ହୋଇଛି, ଆସନ୍ତୁ ଜାଣିବା….
ଜୁନ୍ ୨୭- ରଥଯାତ୍ରା
ସକାଳ ୯ଟାରେ ତିନିରଥକୁ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢେ ୯ଟାରୁ ଆରମ୍ଭ ହେବ ଠାକୁରଙ୍କ ପହଣ୍ଡି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ଦାରୁବିଗ୍ରହମାନେ ରଥାରୁଢ ହେବା ପରେ ମଦନମୋହନ ବିଜେ କରିବେ। ଚିତା ଲାଗି ପରେ ବେଶ ଶେଷ ହେବ। ଅପରାହ୍ନ ସାଢେ ୨ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲାଗିବେ। ଏହାପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।
ଜୁଲାଇ ୫ – ବାହୁଡ଼ା ଯାତ୍ରା
ମଧ୍ୟାହ୍ନ ୧୨ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ସାଢେ ୨ଟାରେ ପହଣ୍ଡି ଶେଷ ହେବ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ଶେଷ ହୋଇ ଅପରାହ୍ନ ୪ଟାରେ ରଥଟଣା ଯିବ।
ଜୁଲାଇ ୬-ସୁନା ବେଶ
ଜୁଲାଇ ୬ ତାରିଖ ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ ୬ଟା ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ରାତି ୧୦ରୁ ୧୧ଟା ମଧ୍ୟରେ ବେଶ ମଇଲମ କରାଯିବ। ୭ ତାରିଖ ରାତି ୮ଟାରେ ଅଧରପଣା ନୀତି ସମ୍ପନ୍ନ ହେବ।
ଜୁଲାଇ ୮-ନୀଳାଦ୍ରିବିଜେ
୮ତାରିଖରେ ମହାପ୍ରଭୁ ନୀଳାଦ୍ରିବିଜେ ଅର୍ଥାତ୍ ରତ୍ନସିଂହାସନକୁ ବିଜେ କରିବେ ବୋଲି ନୀତି ଚୂଡ଼ାନ୍ତ ହୋଇଛି।