ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । କୋଳାହଳରେ ଫାଟି ପଡୁଛି ବଡ଼ଦାଣ୍ଡ। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ । ଏହାରି ମଧ୍ୟରେ ଆରମ୍ଭ ହୋଇଛି ପହଣ୍ଡି ବିଜେ। ପ୍ରଥମେ ଧାଡ଼ି ପହଣ୍ଡିରେ ଦେବଦଳନ ରଥକୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ପରେ ବଡଭାଇ ବଳଭଦ୍ରକଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପହଣ୍ଡିରେ ଆସି ତାଳଧ୍ବଜ ରଥରେେ ରଥାରୁଢ ହୋଇଛନ୍ତି ପ୍ରଭୁ ବଳଭଦ୍ର। ଏହାପରେ ଭଉଣୀ ସୁଭଦ୍ରା ପହଣ୍ଡିରେ ଆସି ଦେବଦଳନ ରଥରେ ବିଜେ ହୋଇଛନ୍ତି। ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି। ଟାହିଆ ହଲାଇ ଆସୁଛି କାଳିଆ ସାଆଁନ୍ତ। ଘଣ୍ଟଘଣ୍ଟା ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।
ନୀଳକନ୍ଦରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର। ଆଜି ସକାଳ ସାଢେ ୯ଟାରୁ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୪ଟାରେ ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ କରାଯାଇଛି।
ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ପହଣ୍ଡି ଆରମ୍ଭ ହୋଇଛି। ମଧ୍ୟାହ୍ନ ସାଢେ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରାଯାଇ ଅପରାହ୍ନ ୧ଟାରେ ରଥକୁ ରାମକୃଷ୍ଣ, ମଦନମୋହନ ବିଜେ ହେବେ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥ ଟାଣିବା ଲାଗି ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କଡ଼ା ସୁରକ୍ଷା ବଳୟରେ ରହିଛି ପୁରୀ। ସିସିଟିଭି କ୍ୟାମେରା ସହରକୁ ଜଗିଛି। ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ପ୍ରବଳ ଖରା ସତ୍ତ୍ବେ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ହୋଇଛି।