ଭୁବନେଶ୍ବର: ବିଦେଶରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅପମାନିତ କରାଯାଇଛି। ଇସ୍କନ ରଥଯାତ୍ରା ବେଳେ ଅଣ୍ଡାମାଡ ହୋଇଛି। କାନାଡାର ଟୋରଟୋଂରେ ଭାରତୀୟ ସମୁଦାୟ ଦ୍ୱାରା ଶାନ୍ତିପୂର୍ଣ୍ଣ ରଥଯାତ୍ରା ଉତ୍ସବ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଇସ୍କନ୍ ଦ୍ୱାରା ଆୟୋଜିତ ୫୩ତମ ରଥଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ଅଣ୍ଡା ଫୋପାଡ଼ିବାର ଅଭିଯୋଗ ହୋଇଛି, ଟରଣ୍ଟୋରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ସଂଜନା ବଜାଜ, ଯିଏ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ, ସିଏ ଏହି ସମୟର ଦୃଶ୍ୟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଜାଜଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ, ଫୁଟପାଥରେ ଭଙ୍ଗା ଅଣ୍ଡା ଛିଟିକି ପଡ଼ିଥିବା ଦେଖାଯାଇଛି।
ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏକ୍ସରେ ନବୀନ ଲେଖିଛନ୍ତି, “ଟରଣ୍ଟୋ, କାନାଡାରେ ରଥଯାତ୍ରା ଉତ୍ସବ ସମୟରେ ଭକ୍ତମାନଙ୍କ ଉପରେ ଅଣ୍ଡା ଫୋପାଡ଼ିବାର ଖବର ଜାଣି ସେ ଗଭୀର ଭାବେ ମର୍ମାହତ। ଏଭଳି ଘଟଣା କେବଳ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ଭାବନାକୁ ଗଭୀର ଭାବେ ଆଘାତ ପହଂଚାଇନାହିଁ ବରଂ ଓଡ଼ିଶାର ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ଓଡିଶା ସରକାରଙ୍କୁ ନବୀନ ଅନୁରୋଧ କରିବା ସହ ଭାରତର ବୈଦେଶିକ ମନ୍ତ୍ରଣାଳୟ କାନାଡା କର୍ତୃପକ୍ଷଙ୍କ ନିକଟରେ ଏହି ବିଷୟ ଉଠାଇବାକୁ ନବୀନ ଦାବି କରିଛନ୍ତି।