ଚିତ୍ରକଳ୍ପରେ ଶ୍ରୀଜଗନ୍ନାଥ

ନୀଳାଚଳମୌଳିଙ୍କ ପ୍ରତିମାର ତୁଳନା, ଉପମା ଅବା କୌଣସି ଆଧାର କେଉଁଠି, କାହାସହ କରାଯାଇ ପାରିବ ନାହିଁ। ସେ ଅସମୋର୍ଦ୍ଧ ପୁରୁଷ, ତାଙ୍କ ସହ କେହି ସମାନ ନୁହନ୍ତି। ତାଙ୍କଠୁ ଆଉ ବଡ଼ କିଏ ନାହିଁ। ସୃଷ୍ଟି ସ୍ଥିତି ତଥା ପ୍ରଳୟର ଅପ୍ରତିମ କର୍ତ୍ତାଙ୍କୁ ପୁଣି କେଉଁ ପ୍ରତିମା ଏବଂ ତାଙ୍କ କୀର୍ତ୍ତିରାଜିର ଅବା କେଉଁ ପରିଣାମକୁ କିଏ କଳିପାରିଛି। ସେ ଅଦ୍ୱିତୀୟ, ସେ ବ୍ରହ୍ମଙ୍କ ପ୍ରତୀକାତ୍ମକ ପରମ ଅପରୂପ ବିଗ୍ରହ। ତେଣୁ ବେଦବର୍ଣ୍ଣନା ଅନୁଯାୟୀ ‘ନ ତସ୍ୟ […]

ନୀଳାଚଳମୌଳିଙ୍କ ପ୍ରତିମାର ତୁଳନା, ଉପମା ଅବା କୌଣସି ଆଧାର କେଉଁଠି, କାହାସହ କରାଯାଇ ପାରିବ ନାହିଁ। ସେ ଅସମୋର୍ଦ୍ଧ ପୁରୁଷ, ତାଙ୍କ ସହ କେହି ସମାନ ନୁହନ୍ତି। ତାଙ୍କଠୁ ଆଉ ବଡ଼ କିଏ ନାହିଁ। ସୃଷ୍ଟି ସ୍ଥିତି ତଥା ପ୍ରଳୟର ଅପ୍ରତିମ କର୍ତ୍ତାଙ୍କୁ ପୁଣି କେଉଁ ପ୍ରତିମା ଏବଂ ତାଙ୍କ କୀର୍ତ୍ତିରାଜିର ଅବା କେଉଁ ପରିଣାମକୁ କିଏ କଳିପାରିଛି। ସେ ଅଦ୍ୱିତୀୟ, ସେ ବ୍ରହ୍ମଙ୍କ ପ୍ରତୀକାତ୍ମକ ପରମ ଅପରୂପ ବିଗ୍ରହ। ତେଣୁ ବେଦବର୍ଣ୍ଣନା ଅନୁଯାୟୀ ‘ନ ତସ୍ୟ ପ୍ରତିମା ନାସ୍ତି ଯସ୍ୟ ନାମ ମହଦୀଶଃ’। ସେ ରୂପବିବର୍ଜିତ। ତାଙ୍କୁ ବାଣୀ ଅବା ଶବ୍ଦ ବର୍ଣ୍ଣି ପାରିବ ନାହିଁ- ‘ଯତୋ ବାଚେ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ’।

ତେଣୁ ଆପଣ ଅବାଂମାନସ, ଆପଣ ଅଚିନ୍ତନୀୟ, ଅପରିକଳ୍ପନୀୟ, ଅବର୍ଣ୍ଣନୀୟ, ଅରୂପ, ଆକାରରହିତ, ଆଦି ଅନ୍ତହୀନ ସ୍ୱରୂପ। ଜୀବ ତଥାପି ଆପଣଙ୍କୁ ମାତା, ପିତା, ବନ୍ଧୁ, ସଖା ସହୋଦର, ଧନ, ମାନ, ଯଶ, ନିଃଶ୍ୱାସ, ପ୍ରଶ୍ୱାସ, ବିଦ୍ୟା, ଜ୍ଞାନ ସବୁକିଛି ସମର୍ପି ଦେଇଥାଏ।

‘ଆପଣ ତ ଆକାର ରହିତ, ନିର୍ବିକଳ୍ପ ନିରାକାର ଏବଂ ସବୁର କର୍ତ୍ତା ହିଁ ଆପଣ! ଅକର୍ତ୍ତା ମଧ୍ୟ ଆପଣ! ଏହି ପରିପ୍ରେକ୍ଷୀରେ ବିଚାର କରିବାକୁ ହୁଏ ଯେ ଆପଣ ସମସ୍ତ ଜୀବମାନଙ୍କର ଉଦ୍‌‌ଗମ ସ୍ଥଳ, ମାଧ୍ୟମ, ବିଶ୍ୱ ବ୍ରହ୍ମାଣ୍ଡର ଆଧାର ଅଟନ୍ତି। ତେଣୁ ଆପଣ ଏକ ହୋଇ ମଧ୍ୟ ଅନେକ ଭଳି ପ୍ରତୀତ ହୋଇଥା’ନ୍ତି – ଯାଦୃଶି ଭାବନା ଯସ୍ୟ ସିଦ୍ଧଃ ଭବତି ତାଦୃଶି, ଏକ ଦେବ ବିଦ୍ରଃ ବହୁଧା ଭବନ୍ତି’।

ଏହା ଏକ ଅକଳ୍ପନୀୟ ଚିତ୍ର ଦୃଶ୍ୟ, ଯାହାର ଚିତ୍ରକଳ୍ପ ତିଆରି କରିବା ଦୁଷ୍କର। ଯେଉ ଁଦୃଶ୍ୟ ଅଦୃଶ୍ୟ, ତା’ର ଚିତ୍ରକଳ୍ପକୁ ଆକଳନ କରିବା ମଧ୍ୟ ଅସମ୍ଭବ। ଅଦୃଶ୍ୟର ରୂପକଳ୍ପ ପାଇଁ ଧ୍ୟାନ ଧାରଣା, ଭୋଗ ତଥା ବାଚନିକ, ଆତ୍ମିକ, ଦୈହିକ, ମାନସିକ ସ୍ତରରେ ସ୍ୱଚ୍ଛତାର ଆବଶ୍ୟକତା ଅଧିକ।

ନୀଳକନ୍ଦର ନିବାସୀ ଶ୍ରୀପୁରୁଷୋତ୍ତମ କୁଣ୍ଡଳାକାର ହୋଇ ଉନ୍ମୁକ୍ତ ଥିବା ଅଥବା ଗୁରୁତ୍ୱ ବୃଦ୍ଧି କରୁଥିବା ଶଙ୍ଖନାଭି ମଣ୍ଡଳରେ ପଞ୍ଚତତ୍ତ୍ୱ ସନ୍ନିକଷ୍ଟ ମହାପଦ୍ମ ସଦୃଶ ପ୍ରତୀକାତ୍ମକ ରତ୍ନବେଦୀରେ ଆସୀନ ପୂର୍ବକ ଲୋକବତ୍‌‌ ଲୀଳା କୈବଲ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ସତ୍‌‌ଚିତ୍‌‌ ଆନନ୍ଦ ପ୍ରଦାନ କରୁଛନ୍ତି। ଏହି ବିରାଟ ସୃଷ୍ଟି କିଭଳି ସଂଗଠିତ ହେଲା? କିଏ ତାହାର କର୍ତ୍ତା? ନୀଳାଚଳର କ୍ଷେତ୍ରାଧିପତି କ’ଣ ସେହି ମହାଜାଗତିକ ଶକ୍ତିର ସ୍ଥୂଳ ପ୍ରତୀକାତ୍ମକ ରୂପ? ଏକ ଭାବକଳ୍ପନାର ଆଧାର ଆମ ଈଶ୍ୱରୀୟ ଚୈତ୍ୟବୃତ୍ତି ସମ୍ପୂର୍ଣ୍ଣ ଏକ ବିଚାରଧାରା, ଯାହା ଅତୀବ ରହସ୍ୟମୟ ଓ ଅକଳ୍ପନୀୟ।

କଳ୍ପନା ଏକ ଦିବ୍ୟଚେତନା, ଯାହାର ଆଧାର ପାରିପାର୍ଶ୍ବିକ ବ୍ୟବସ୍ଥା, ବାସ୍ତବତା ଏବଂ ସାମ୍ପ୍ରତିକ ଚେତନାବୋଧକୁ ଇଙ୍ଗିତ କରିଥାଏ। ବାସ୍ତବତାର ସମ୍ଭାବ୍ୟ ପରିଣତିକୁ ଉପସ୍ଥାପନା କରିବା କ୍ଷେତ୍ରରେ କଳ୍ପନା ଏକ କଳାତ୍ମକ ଭିତ୍ତିଭୂମି। ସେହିପରି ସମ୍ଭାବ୍ୟ ବାସ୍ତବତାକୁ କଳ୍ପନାର ପୃଷ୍ଠଭୂମିରେ ଉପସ୍ଥାପନା ଏବଂ କାଳାତୀତ ଆଗାମୀ ଭବିଷ୍ୟତକୁ ଦେଇଥାଏ ଏକ ଅନନ୍ୟ ସାମ୍ପ୍ରତିକ ଚିତ୍ରରୂପ। ଅଙ୍ଗେନିଭା ଅନୁଭବ ଯେତେବେଳେ ଭାବବସ୍ତୁରେ ପରିବର୍ତ୍ତିତ ହୁଏ, ସେତେବେଳେ ତାହା ଭାବର ନିକଟବର୍ତ୍ତୀ ମନେହୋଇ ଅବାସ୍ତବତା ତଥା କଳ୍ପନା ପ୍ରବଣତାକୁ ନେଇ ସୃଷ୍ଟ ସମସ୍ତ ଦ୍ୱନ୍ଦ୍ୱର ଅବସାନ ଘଟାଇଥାଏ। କଳ୍ପନା ସେତେବେଳେ ହୋଇଉଠେ ବାସ୍ତବତାର ସମ୍ଭାବ୍ୟ ଚିତ୍ରରୂପ।

ଏହି ପ୍ରକାର ଉପଲବ୍ଧକୁ ଆମକୁ ନେଲାବେଳେ ସୌନ୍ଦର୍ଯ୍ୟବୋଧର କଥା ମନକୁ ଆସିଥାଏ, ଯାହା ବୋଧହୁଏ ସର୍ଜନର ଉତ୍‌‌ପ୍ରେରିକା ଶକ୍ତି ଏବଂ ଶିଳ୍ପୀର ପ୍ରାଣରେ ସୃଷ୍ଟି କରିଥାଏ ଏକ ଅନାହତ ଉଦ୍‌‌ବେଳନ। ସେଥିପାଇଁ ସ୍ରଷ୍ଟାର ହୃଦୟ ସେଇଠୁ ଉତ୍ସରିତ ସୌନ୍ଦର୍ଯ୍ୟ ଭୂମିର ସନ୍ଧାନରେ ମଗ୍ନ, ମୋହିତ ଓ ଆଚ୍ଛନ୍ନ ହୋଇ ଅବଲୀଳାକ୍ରମେ ସୃଜନର ଦିବ୍ୟଚେତନା ସ୍ତରରେ ନିବିଡ଼ ସମ୍ବେଦନାରେ ଆବେଗସିକ୍ତ ହୁଏ। ହୃଦୟର ଭାବକକ୍ଷ ମଧ୍ୟ ସେତେବେଳେ କ୍ରିୟାଶୀଳ ମନେ ହୋଇଥାଏ। ସୂକ୍ଷ୍ମ ଚେତନାର ସଂଗୁପ୍ତ ମୂଲକଟି ସେଇଠୁଁ ସମ୍ମୋହନର ଗଭୀର ବିହ୍ୱଳତାରେ ଆବିଷ୍ଟ ହୁଏ ଓ ଅନୁଭବର ଅବରୁଦ୍ଧ କକ୍ଷଗୁଡ଼ିକ ଉନ୍ମୁକ୍ତ ହୁଅନ୍ତି। କଳ୍ପଲୋକରେ ବିଚରଣ କରେ ଜୀବସତ୍ତା। ଜାଗତିକ ସୀମା ସରହଦ ଅତିକ୍ରମ କରି ସର୍ଜନ ଦୃଷ୍ଟି ଅତି ଜାଗତିକ ଏକ ଦିବ୍ୟଚେତନାରେ ପ୍ରସାରିତ ହୁଏ, ବହୁମୁଖୀ ହୁଏ ତା’ର ରୂପାନ୍ତରଣ। ତେବେ ଯାଇ ସମ୍ଭବ ହୁଏ ଚିତ୍ରକଳ୍ପର ଚିତ୍ରରୂପ (ଦୃଶ୍ୟରୂପ)। ଯାହା ସତତଃ ଅନନ୍ୟ ଅପ୍ରତିମ ପରମାନନ୍ଦ ପ୍ରଦାନକାରୀ ହୁଏ। ଆତ୍ମାକୁ ଛୁଏଁ। ସାର୍ବଜନୀନ ସ୍ୱୀକୃତି ପାଏ।

ଅଗଣିତ ସାଧୁସନ୍ଥ, ପଣ୍ଡିତ, ବିଷୟ ଗବେଷକ, ଜ୍ଞାନୀ, ତତ୍ତ୍ୱଦର୍ଶୀ, ମହାତ୍ମା, ମୁନିଋଷି ଦିବ୍ୟ ନୀଳାଚଳ ଧାମରେ ପଦର୍ପଣ କଲାମାତ୍ରେ ଆପଣାର ଜ୍ଞାନ, ପାଣ୍ଡିତ୍ୟ, ବୁଝା ଅବୁଝା ଗୁଢ଼ତତ୍ତ୍ୱ ସମସ୍ତଙ୍କୁ ପାସୋରି ବସନ୍ତି। ତତ୍ତ୍ୱାତୀତ ପରଂବ୍ରହ୍ମଙ୍କ ତତ୍ତ୍ୱ ନିର୍ଣ୍ଣୟରେ ନିଜ ନିଜର ଅସାମର୍ଥ୍ୟତା ଅନୁଭବ କରି ତାଙ୍କୁ ସର୍ବ ବେଦାନ୍ତ ସାର, ସର୍ବ ତତ୍ତ୍ୱାନୁତତ୍ତ୍ୱ ତଥା ଭବଜଳଧିର ତରଣୀ ରୂପେ ବାରମ୍ବାର ପ୍ରତୀତ ଜଣାଇଥା’ନ୍ତି। ସେ ସର୍ବେନ୍ଦ୍ରୀୟ ବିବର୍ଜିତ ତଥା ସର୍ବେନ୍ଦ୍ରୀୟ ଧର୍ମର ସ୍ଥୂଳ ପ୍ରତିନିଧି। ଦୁରାଧିଗମ୍ୟ ଭାବକୁ ସ୍ଥୂଳ ଭାବରେ ପ୍ରଦର୍ଶନ କରିବାକୁ ତାଙ୍କର ଏହି ରହସ୍ୟମୟ ସ୍ୱରୂପ। ବର୍ଣ୍ଣ ଧର୍ମ ଆଶ୍ରମ ସବୁ ତାଙ୍କଠାରେ ଅବଲୁପ୍ତ।

ଏହିପରି ଏକ ଗୂଢ଼ ରହସ୍ୟ ବର୍ଣ୍ଣନାର ଚିତ୍ରକଳ୍ପକୁ କିଏ କିପରି କେଉଁ ଶିଳ୍ପଶାସ୍ତ୍ର, ଚିତ୍ରକୋଷ ବା ଅତିନ୍ଦ୍ରିୟ ଚେତନାସ୍ତରକୁ ଯାଇ ଏହାର ଠିକ୍‌‌ ଚିତ୍ରରୂପ ସର୍ବସାଧାରଣରେ ପ୍ରଦର୍ଶିତ କରିପାରିବ? ଅପୂର୍ଣ୍ଣ, ଖଣ୍ଡିତ ଅବୟବ ଏବଂ ନିର୍ଦ୍ଦିଷ୍ଟ ଆକାର ଆକୃତିରହିତ ତାଙ୍କ ଚିତ୍ର ପ୍ରତିମା। ତେଣୁ ଏକ ରହସ୍ୟପୂର୍ଣ୍ଣ ପ୍ରତୀକ ବ୍ୟତୀତ ଆଉ କିଛି ନୁହେଁ। ତଥାପି ଶ୍ୟାମଘନ ସମ ଶ୍ୟାମ ସଖା, ସୌନ୍ଦର୍ଯ୍ୟବୋଧର ସର୍ବୋକୃଷ୍ଟ ସୃଷ୍ଟି, ତାଙ୍କ କଳାଶ୍ରୀମୁଖ ସମସ୍ତଙ୍କର ପ୍ରିୟ। ତାଙ୍କ ବଙ୍କାଧରରେ ଅତିଜାଗତିକ ସ୍ମିତହାସ୍ୟ ଶୃଙ୍ଗାର। ତଥାପି ତାଙ୍କର ସମସ୍ତ ଚିତ୍ର ଏକ ଭ୍ରାନ୍ତି। ଅତୀବ ରହସ୍ୟମୟ।

ମହାପ୍ରଭୁଙ୍କ ଆଧାରରେ ଅନେକ ଚିତ୍ର କରିସାରିଲା ପରେ ମଧ୍ୟ ମୋର ବ୍ୟକ୍ତିଗତ ଭାବରେ ଏହିମତ ଯେ ତାଙ୍କ ଚିତ୍ରର ସେ ନିଜେ ହିଁ ନିରୀକ୍ଷକ ଏବଂ ସମୀକ୍ଷକ। କତିପୟ କିଛି ବିଭୋର ଶିଳ୍ପୀ ବନ୍ଧୁମାନଙ୍କୁ ନେଇ ମହାପ୍ରଭୁଙ୍କର ପାତାଳି ଲୀଳା କ୍ଷେତ୍ରମାନଙ୍କୁ ଯାଇ ସେଇ ପରିବେଶରେ, ପ୍ରଥମରୁ ବିଷୟ ବିଶେଷଜ୍ଞମାନଙ୍କ ସହ ବିଭିନ୍ନ ପରିପ୍ରେକ୍ଷୀରେ ଆଲୋଚନା କରି ଚିତ୍ରକଳ୍ପ ସମ୍ପର୍କିତ ଏକ ନମୁନା ଚିତ୍ରକୁ ପୁଞ୍ଜିକରି ତାଙ୍କ ଲୀଳାର ଚିତ୍ର କରି ସେଠାରେ ପ୍ରଥମେ ଦେବାର୍ପିତ ଓ ପରେ ଲୋକାର୍ପିତ କରାଇ ଅପୂର୍ବ ସହଯୋଗ ପାଇଛୁ। ସେଇ ପରିବେଶରେ ଯେ ଯାହାର ଊର୍ଦ୍ଧ୍ବ ଉଡ଼ାଣ, ଶୂନ୍ୟଭ୍ରମଣରେ ଥାଆନ୍ତି। ଚିତ୍ର ଆପେ ଆପେ ସେମାନଙ୍କ ଦ୍ୱାରା ହୋଇଯାଏ। ପାଞ୍ଚବର୍ଷ ହେଲା ପାଞ୍ଚ ଯାଗାରେ ପାଞ୍ଚ ପ୍ରକାର ରୂପକଳ୍ପର ଚିତ୍ରରୂପ କରିସାରିଲୁଣି, ସେ ଚିତ୍ର ଅନେକ ସ୍ଥାନରେ ପ୍ରଦର୍ଶିତ ହୋଇସାରିଛି। ଚିତ୍ରର କ୍ୟାନଭାସ୍‌‌, ଲିମ୍ବକାଠ ଗଣ୍ଡିର ପାଞ୍ଚଇଞ୍ଚ ମୋଟେଇ ଏବଂ ଦେଢ଼ଫୁଟରୁ ଦୁଇଫୁଟ ପର୍ଯ୍ୟନ୍ତ ବ୍ୟାସର ଗୋଲାକାର କାଠଖଣ୍ଡ। ମହାପ୍ରଭୁଙ୍କ ଦାରବ ତନୁର ଚିତ୍ର ଲିମ୍ବକାଠରେ ହିଁ ଚିତ୍ରାୟିତ କରାଯାଏ। ଆଗକୁ ମଧ୍ୟ ହେବ। ଦିନକୁ ଦିନ ଦାରୁବ୍ରହ୍ମଙ୍କ କୃପାରୁ ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ, ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୁରୁ, ଚେନ୍ନାଇର ଓଡ଼ିଆ ଶିଳ୍ପୀମାନେ ଆକର୍ଷିତ ହୋଇ ସାମିଲ ହୋଇଛନ୍ତି। ବାହୁଡ଼ାବ୍ରହ୍ମ, ବ୍ରହ୍ମଦାରୁ ସ୍ମରାମୀ, ନୀଳବ୍ରହ୍ମ, ଗୁପ୍ତବ୍ରହ୍ମ, ପାତାଳିବ୍ରହ୍ମ ଶୀର୍ଷକରେ ଏହି କଳାଶିବିରଗୁଡ଼ିକ ଭୁବନେଶ୍ୱର, ପୁରୀ, ନୀଳମାଧବ କ୍ଷେତ୍ର, କଣ୍ଟିଲୋ, କାଙ୍କରଶିଶରୀ, ଟାପୁ ଚିଲିକା, ନଈରୀ ଏବଂ ସୋନପୁର କୋଟ ସମଲାଇ ସ୍ଥିତ ତ୍ରିକୁଟ ପାହାଡ଼ ଗୁମ୍ଫା ଯେଉଁଠି ମହାନଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣାଯାଇ ଗୋପନରେ ଶତାଧିକ ବର୍ଷ କାଳ ମାଟିରେ ପୋତାଯାଇ ରଖାଯାଇଥିଲା ଓଡ଼ିଶାର ମୋଗଲ ଗୋଳ ସମୟରେ।

ଆଜି ପର୍ଯ୍ୟନ୍ତ ଚିତ୍ରରେ ମୁଁ ତାଙ୍କୁ ଯେପରି ଦେଖିପାରେ ଶବ୍ଦରେ ସେପରି ବର୍ଣ୍ଣନା କରି ପାରେନି। ରଙ୍ଗ ମିଳେନି ତାଙ୍କୁ ବର୍ଣ୍ଣିବାକୁ। ଶବ୍ଦ ଅଣ୍ଟେନି ତାଙ୍କ ଲୀଳା ବଖାଣିବାକୁ। ତାଙ୍କ ପାଇଁ ମୋର ସବୁଚିତ୍ରର ସେ ଚିତ୍ର ନିର୍ଦ୍ଦେଶକ। ଅନେକ ବାର ନିରୀହ ସ୍ୱୀକାର ମୁଁ କରିଛି ଯେ ତାଙ୍କ ଚିତ୍ର କରି ସାରି ସେ ଚିତ୍ରର ଯେ କୌଣସି ସମୀକ୍ଷା ମୋ ଦ୍ୱାରା ଅବା ଆଉ କାହା ଦ୍ୱାରା କରାଯାଇନି। କାରଣ ତାଙ୍କ ଚିତ୍ରର ସମୀକ୍ଷକ ସେ ନିଜେ। ତାଙ୍କ ଚିତ୍ର କେବେ ସରେନି, ଲାଗେ ଯେମିତି ଆଉ କ’ଣ ଟିକେ ହେଇପାରିଥା’ନ୍ତା! ଲେଖକୀୟ ଅଭିବ୍ୟକ୍ତି ମଧ୍ୟ ଠିକ୍‌‌ ସେହିପରି। ଆଉ କ’ଣ ଟିକେ ଲେଖିଥିଲେ ଭଲ ଲାଗିଥା’ନ୍ତା! ଅନେକବେଳେ ମୁଁ ସେଥିପାଇଁ ଭାବେ ସେଇ ଆଉକିଛି କଥାଟି ହିଁ ଭାବ। ଭାବରେ ଆଖି ମୁଦି ହୋଇଗଲେ ଜଗନ୍ନିବାସ ଶ୍ୟାମସଖା ଯେଉଁଠି ଥିଲେ ବି ଅତୁଲ୍ୟ ଦିଶନ୍ତି, ଜଳଜଳ ହୋଇ ବାରି ହେଇଯାଏ ଶବ୍ଦବ୍ରହ୍ମ। ଶୂନ୍ୟଶବ୍ଦ ମଧ୍ୟ ଅନର୍ଗଳ ପଢ଼଼ି ହେଇଯାଏ।
ଜୟ ଜଗଦ୍ଦୀଶ୍ୱର।

ଆପଣ ସର୍ବେଶ୍ୱର, ସର୍ବରୂପ ଓ ସ୍ମୃତିଯୋଗ୍ୟ, ଆପଣଙ୍କୁ ସହସ୍ରବାର ପ୍ରଣାମ, ପୁନର୍ବାର ପ୍ରଣାମ, ବାରମ୍ବାର ପ୍ରଣାମ।

ବଳଦେବ ମହାରଥା
ଭୁବନେଶ୍ୱର, ମୋ: ୯୪୩୯୭୭୬୯୧୦

About The Author: The Sakala