ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଗୁପ୍ତ ନୀତି ପାଇଁ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହେବ ଏହି ଗୁପ୍ତ ନୀତି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ନୀତି 'ବନକଲାଗି' ଅନୁଷ୍ଠିତ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ଏହି ବିଶେଷ ନୀତି ଆରମ୍ଭ ହେବ। ବନକଲାଗି ନୀତିରେ ଶ୍ରୀଜୀଉମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ, ଏହି ସମୟରେ ସର୍ବସାଧାରଣଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥାଏ। ତେଣୁ ନୀତି ସୁଚାରୁ ରୂପେ ସମ୍ପନ୍ନ କରିବା ନିମନ୍ତେ ୪ ଘଣ୍ଟା ପାଇଁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି।
ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ପ୍ରସ୍ତୁତି ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗିର ଅସଲ ସମୟ ଧାର୍ଯ୍ୟ ହେବ । ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ।
ବନକଲାଗି ନୀତି ଶେଷ ହେବା ପରେ ହିଁ ମନ୍ଦିର ପ୍ରଶାସନ ପକ୍ଷରୁ ପୁନର୍ବାର ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦିଆଯିବ। ଆଜି ଶ୍ରୀମନ୍ଦିର ଯିବାକୁ ଯୋଜନା କରୁଥିବା ଶ୍ରଦ୍ଧାଳୁମାନଙ୍କୁ ଏହି ୪ ଘଣ୍ଟିଆ କଟକଣା ବିଷୟରେ ଧ୍ୟାନ ରଖିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ଅସ୍ଥାୟୀ କଟକଣା ମନ୍ଦିରର ନିୟମିତ ନୀତିକାନ୍ତିର ଏକ ଅଂଶ ଏବଂ ବିନା କୌଣସି ବାଧାବିଘ୍ନରେ ଏହାକୁ ସମ୍ପନ୍ନ କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।