ନା ଲାଇଫ୍ ଜ୍ୟାକେଟ୍ରେ ଚିଲିକା ବୁଲୁଛନ୍ତି ପର୍ଯ୍ୟଟକ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ପର୍ଯ୍ୟଟନ ଋତୁ ଆରମ୍ଭରୁ ଚିଲିକାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସାତପଡ଼ାରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବିନା ଲାଇଫ୍ ଜ୍ୟାକେଟ୍ରେ ପର୍ଯ୍ୟଟକଙ୍କୁ ଚିଲିକା ଭ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଅବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠାଇବାରୁ ଖବର ସଂଗ୍ରହ କରୁଥିବା ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଡଲଫିନ୍ ଦେଖିବା ପାଇଁ ସାତପଡ଼ା ଘାଟରୁ ମୋଟର ବୋଟ୍ ଯୋଗେ ଚିଲିକା ହ୍ରଦ ମଧ୍ୟକୁ ଯାଉଛନ୍ତି। ନିୟମ ଅନୁଯାୟୀ, ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବା ବାଧ୍ୟତାମୂଳକ। ତେବେ ଏହି ନିୟମକୁ ଅଣଦେଖା କରି କେତେକ ବୋଟ୍ ଚାଳକ ଓ ମାଲିକ ଅଧିକ ଲାଭ ଆଶାରେ ପର୍ଯ୍ୟଟକଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି। ବିନା ଲାଇଫ୍ ଜ୍ୟାକେଟ୍ରେ ଏପରିକି ବୋଟ୍ର ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଚିଲିକାରେ ବୋଟ୍ ଚଳାଚଳ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।
ଏହି ଅବ୍ୟବସ୍ଥାର ଚିତ୍ର ଉତ୍ତୋଳନ କରିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ସମ୍ପର୍କରେ ବୋଟ୍ ଚାଳକ ଓ ସ୍ଥାନୀୟ ପରିଚାଳନା କମିଟିକୁ ପ୍ରଶ୍ନ କରିଥିଲେ ସମ୍ପୃକ୍ତ ସାମ୍ବାଦିକ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। କେତେକ ବୋଟ୍ କର୍ମଚାରୀ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଚିଲିକାରେ ପୂର୍ବରୁ ଅନେକ ଥର ଡଙ୍ଗାବୁଡ଼ି ଭଳି ଦୁଃଖଦ ଘଟଣା ଘଟି ଧନଜୀବନ ହାନି ହୋଇଛି। ଏହା ସତ୍ତ୍ୱେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ପକ୍ଷରୁ ଆବଶ୍ୟକ କଡ଼ା ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଫଳରେ ଚିଲିକାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଏବେ ଚିନ୍ତାର କାରଣ ପାଲଟିଛି।
ଅନ୍ୟପକ୍ଷରେ, ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।