ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଅଁଳ ପଞ୍ଚାୟତର ହରିପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ କୃଷ୍ଣପ୍ରସାଦ ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମହିଳା ମୋର୍ଚ୍ଚା ସଭାନେତ୍ରୀ ସରସ୍ୱତୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କୃଷ୍ଣପ୍ରସାଦ ମଣ୍ଡଳ ବିଜେପି ସଭାପତି ସଂଗ୍ରାମ କେଶରୀ ଜେନା ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସାଙ୍ଗଠନିକ ଦିଗଦର୍ଶନ ଦେଇଥିଲେ। ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।
ଜନସେବା ହିଁ ସଂଗଠନର ମୂଳ ଲକ୍ଷ୍ୟ ହୋଇଥିବାରୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିଜ ନିଜ ଅଞ୍ଚଳରେ ସେବାମୂଳକ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ଗତ ଦୁଇ ବର୍ଷ ମଧ୍ୟରେ ଅଞ୍ଚଳରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ପଦକ୍ଷେପ ଏବଂ ସରକାରୀ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣପ୍ରସାଦ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରିୟବ୍ରତ ସିଂହସାମନ୍ତ, ସମ୍ପାଦକ ମନୋଜ କୁମାର ଜେନା, କୋଷାଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ସମେତ ଶତାଧିକ ମହିଳା କର୍ମୀ, କର୍ମକର୍ତ୍ତା ଓ ସଂଗଠକ ଯୋଗଦେଇଥିଲେ। ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ମଜବୁତ କରିବା ସହ ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ କାର୍ଯ୍ୟର ସୂଚନା ପହଞ୍ଚାଇବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।