ଜଣେ କଏଦୀଙ୍କ ପାଇଁ ଦୈନିକ ଖର୍ଚ୍ଚ ହେଉଛି ୮୦ ଟଙ୍କା, ଜେଲ୍‌ରେ ସପ୍ତାହକୁ ମିଳୁଛି ୨ ଦିନ ଆମିଷ

ଭୁବନେଶ୍ୱର : ଜେଲ୍‌‌ରେ କଏଦୀମାନେ କ’ଣ ଖାଉଛନ୍ତି, କିପରି ରହୁଛନ୍ତି। ତାହା ସାଧାରଣ ଲୋକେ ଜାଣନ୍ତି ନାହିଁ। କିନ୍ତୁ କଏଦୀଙ୍କ ପାଇଁ ମାସକୁ ଲକ୍ଷାଧିକ ଟଙ୍କା ସରକାରୀ ରାଜକୋଷରୁ ଖର୍ଚ୍ଚ ହେଉଛି। ଦେଖିବାକୁ ଗଲେ ରାଜ୍ୟରେ ଥିବା ଜେଲ୍‌‌ ଠାରୁ ସର୍ବାଧିକ ଖର୍ଚ୍ଚ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍‌‌ରେ ହେଉଛି। ଜଣେ କଏଦୀଙ୍କ ପାଇଁ ପ୍ରତିଦିନ ସରକାରୀ ଖାଜାନାରୁ ୮୦ ଟଙ୍କା ଆସୁଛି। ସେଥିରେ ଦୁଇ ଓଳି ଟିଫିନ୍‌‌ ଏବଂ ଦୁଇଟି ମିଲ୍‌‌ ଦିଆଯାଉଛି। କିନ୍ତୁ ଲୋକ ସଂଖ୍ୟା […]

ଭୁବନେଶ୍ୱର : ଜେଲ୍‌‌ରେ କଏଦୀମାନେ କ’ଣ ଖାଉଛନ୍ତି, କିପରି ରହୁଛନ୍ତି। ତାହା ସାଧାରଣ ଲୋକେ ଜାଣନ୍ତି ନାହିଁ। କିନ୍ତୁ କଏଦୀଙ୍କ ପାଇଁ ମାସକୁ ଲକ୍ଷାଧିକ ଟଙ୍କା ସରକାରୀ ରାଜକୋଷରୁ ଖର୍ଚ୍ଚ ହେଉଛି। ଦେଖିବାକୁ ଗଲେ ରାଜ୍ୟରେ ଥିବା ଜେଲ୍‌‌ ଠାରୁ ସର୍ବାଧିକ ଖର୍ଚ୍ଚ ଝାରପଡ଼ା ଏବଂ ଚୌଦ୍ୱାର ଜେଲ୍‌‌ରେ ହେଉଛି। ଜଣେ କଏଦୀଙ୍କ ପାଇଁ ପ୍ରତିଦିନ ସରକାରୀ ଖାଜାନାରୁ ୮୦ ଟଙ୍କା ଆସୁଛି। ସେଥିରେ ଦୁଇ ଓଳି ଟିଫିନ୍‌‌ ଏବଂ ଦୁଇଟି ମିଲ୍‌‌ ଦିଆଯାଉଛି। କିନ୍ତୁ ଲୋକ ସଂଖ୍ୟା ଅନୁସାରେ କଏଦୀଙ୍କ ଖାଦ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ହୋଇଥାଏ।

ବିଶେଷକରି ଅଧିକ କଏଦୀ ଝାରପଡ଼ା ଏବଂ ଚୌଦ୍ୱାରରେ ରହୁଥିବାରୁ ସେଠାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ଝାରପଡ଼ାରେ ପ୍ରତିଦିନ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଝାରପଡ଼ା଼ ଜେଲ୍‌‌ରେ ବର୍ତ୍ତମାନ ୧୩୮୫ କଏଦୀ ରହୁଥିବା ବେଳେ ଜଣଙ୍କ ପିଛା ୮୦ ଟଙ୍କା ଖର୍ଚ୍ଚ ହେଉଛି। ଏହିଭଳି ୧୩୮୫ କଏଦୀଙ୍କ ପାଇଁ ଦିନକୁ ୧ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହିପରି ବର୍ଷକୁ ୩କୋଟି ୯୮ଲକ୍ଷ ୮୮ହଜାର ଟଙ୍କା ଝାରପଡ଼ା ସ୍ବତନ୍ତ୍ର ଜେଲ କଏଦୀଙ୍କ ଖାଦ୍ୟ ବାବଦରେ ଖର୍ଚ୍ଚ ହେଉଛି। ଏଥିସହ ସାବୁନ୍‌‌, ବ୍ରସ୍‌‌, ପେଷ୍ଟ, ଫିନାଇଲ୍‌‌, ମଶାଧୂପ ଆଦି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି।

ସେହିପରି ଚୌଦ୍ୱାର ଜେଲ୍‌‌ରେ ୧୦୮୪ କଏଦୀ ଥିବା ବେଳେ ସେଠାରେ ଦିନକୁ ୮୬ ହଜାର ୭୨୦ ଟଙ୍କା ଖର୍ଚ୍ଚ ହେଉଛି। ସେଠାରେ ମଧ୍ୟ ଝାରପଡ଼ା ଭଳି ଅନ୍ୟାନ୍ୟ ଖର୍ଚ୍ଚ ମିଶିଲେ ଦିନକୁ ୧ଲକ୍ଷ ପାର ହୋଇଯିବ। ବର୍ତ୍ତମାନ କଏଦୀଙ୍କ ସୁବିଧା ପାଇଁ ମଧ୍ୟ ସରକାରୀ ବିଭିନ୍ନ ପ୍ରକାର ବ୍ୟବସ୍ଥା କଲେଣି। ଜେଲ୍‌‌ ଭିତରେ ପରିବେଶ ସଫା ରଖିବା ପାଇଁ ମେସିନ୍‌‌, ଫିଲ୍ମ ଦେଖିବା ପାଇଁ ପ୍ରୋଜେକ୍ଟର, ସଫା ପାଣି ପିଇବା ପାଇଁ ଆକ୍ୟୁଆଗାର୍ଡ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ଯେଉଁଥି ପାଇଁ ସରକାରଙ୍କ ରାଜକୋଷରୁ ଦିନକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି।

ସପ୍ତାହକୁ ୨ ଦିନ ଆମିଷ

କଏଦୀଙ୍କ ପାଇଁ ମଧ୍ୟ ଜେଲ୍‌‌ରେ ମାଛ, ମାଂସ ଏବଂ ଅଣ୍ଡା ଦିଆଯାଉଛି। ଯେପରି କଏଦୀ ଜେଲ୍‌‌ରେ ପୁଷ୍ଟିହୀନତାର ଶିକାର ନ ହେବେ ସେଥିଲାଗି ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଶରୀରର ସନ୍ତୁଳନ ଯେପରି ନ ବିଗିଡ଼ିବ ସେଥିଲାଗି ସୁଷମ ଖାଦ୍ୟ ଦିଆଯାଉଛି। ସପ୍ତାହକୁ ୨ ଦିନ ମାଛ, ଅଣ୍ଡା ଏବଂ ଚିକେନ୍‌‌ ଦିଆଯାଉଛି। ପୂର୍ବରୁ କଏଦୀଙ୍କ ମଟନ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବନ୍ଦ କରି ଦିଆଯାଇଛି। ବୁଧବାର କଏଦୀଙ୍କୁ ଅଣ୍ଡା ଦିଆଯାଉଥିବା ବେଳେ ରବିବାର ମାଛ, କିମ୍ବା ଚିକେନ୍‌‌ କରାଯାଉଛି। ସାଧା ଖାଉଥିବା କଏଦୀଙ୍କୁ ଭାତ ଡାଲମା ଏବଂ ପନିରି ଖାଇବାକୁ ଦିଆଯାଉଛି। ସକାଳୁ କଏଦୀଙ୍କୁ ଚା’ ଦିଆଯାଉଥିବା ବେଳେ ୯ଟା ସମୟରେ ଟିଫିନ୍‌‌ ଦିଆଯାଉଛି। ଟିଫିନ୍‌‌ରେ ଇଡଲି, ଘୁଗୁନି ଦିଆଯାଉଛି। ଇଡଲି, ଘୁଘୁନି ବଦଳରେ ଚୁଡ଼ା, କଦଳୀ ଏବଂ ଉପମା ଦିଆଯାଉଛି। ଦିନ ୧୨ଟାରେ ମିଲ୍‌‌ ଏବଂ ରାତିରେ ମିଲ୍‌‌ ଦିଆଯାଉଛି। ଜେଲ୍‌‌ରେ ରୋଷେଇ ପାଇଁ ଜେଲ୍‌‌ରେ ଥିବା ସର୍ଦ୍ଦାରଙ୍କୁ ଦାୟିତ୍ୱ ମିଳିଛି। କିନ୍ତୁ କେତେକ ଜେଲ୍‌‌ରେ ଖାଦ୍ୟରେ ମଧ୍ୟ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି।

About The Author: The Sakala