ହଂସପାଳ: ହଂସପାଳ ଜୟଦେବ କଲେଜ ରାସ୍ତା କୁଆଖାଇ ନଦୀ ବାଲିରେ ପୋତା ଯାଇଥିବା ମୃତଦେହ ମିଛ ଗୁଜବକୁ ଆଧାର କରି ପାହାଳ ଥାନା ପୁଲିସ୍ ନାକେଦମ୍ ହେବା ଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ୪ନମ୍ବର ୱାର୍ଡସ୍ଥିତ ନହରକଣ୍ଟା ଗ୍ରାମର ହଂସପାଳ-ଜୟଦେବ କଲେଜ ରାସ୍ତା କୁଆଖାଇ ନଦୀ ବାଲିରେ ଏକ ମୃତଦେହ ପୋତା ହୋଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ସନ୍ଦେହ କରିଥିଲେ। ଏ ନେଇ ସେମାନେ ୪ନମ୍ବର ୱାର୍ଡ଼ କର୍ପୋରେଟର ସୁକୁମାର ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇବା ପରେ କର୍ପୋରେଟର ତୁରନ୍ତ ପାହାଳ ଥାନାକୁ ଜଣାଇଥିଲେ।
ସୂଚନା ପାଇବା କ୍ଷଣି ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନା ନିଜ ପୁଲିସ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୁଲିସ୍ ସନ୍ଦେହଜନକ ସ୍ଥାନରୁ ବାଲି ଖୋଳି ତଦନ୍ତ ଆରମ୍ଭ କରିଥିଲା। ତେବେ ବାଲି ଖୋଳିବା ପରେ ଯାହା ସାମ୍ନାକୁ ଆସିଥିଲା, ତାହା ଦେଖି ପୁଲିସ୍ ଓ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ କୌଣସି ମୃତଦେହ ନଥିଲା, ବରଂ ତାହା କଇଁଛ ଅଣ୍ଡା ବୋଲି ଜଣାପଡ଼ିଥିଲା। ଏହି ମିଛ ଗୁଜବ ଯୋଗୁଁଁ କିଛି ସମୟ ପାଇଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୁଲିସ୍ ପ୍ରଶାସନ ହଇରାଣ ହେବାକୁ ପଡ଼ିଥିଲା।