ଅଧାରେ ଅଟକିଲା ବାହାଘର : ନାବାଳିକା ଅପହରଣ ଅଭିଯୋଗରେ ବରକୁ ଗିରଫ କଲା ପୁଲିସ

ଖଣ୍ଡଗିରି : ମାତ୍ର କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି। କିନ୍ତୁ ଘଟଣା ଘଟିଲା ଆଉକିଛି। ନାବାଳିକା ଅପହରଣ ଅଭିଯୋଗରେ ପୁଲିସ ଆଜି ବର ବେଶରେ ସଜେଇ ହୋଇ ବସିଥିବା ଯୁବକଙ୍କୁ ଗିରଫ କରିନେଲା ପୁଲିସ। ରାଜଧାନୀର କଳିଙ୍ଗନଗର ଅଞ୍ଚଳରେ ଚାଲିଥିବା ଏକ ବାଲ୍ୟ ବିବାହକୁ ଅଟକାଇଛି ପୁଲିସ। ବିବାହ କରିବାକୁ ଆସିଥିବା ଯୁବକଙ୍କୁ ପୁଲିସ ଗିରଫ କରିଛି ଓ ବିବାହ ପାଇଁ ଆସିଥିବା ନାବାଳିକାକୁ ଉଦ୍ଧାର କରିଛି। ଭୁବନେଶ୍ୱର ବ୍ଲକ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଚାଇଲ୍ଡଲାଇନ […]

ଖଣ୍ଡଗିରି : ମାତ୍ର କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି। କିନ୍ତୁ ଘଟଣା ଘଟିଲା ଆଉକିଛି। ନାବାଳିକା ଅପହରଣ ଅଭିଯୋଗରେ ପୁଲିସ ଆଜି ବର ବେଶରେ ସଜେଇ ହୋଇ ବସିଥିବା ଯୁବକଙ୍କୁ ଗିରଫ କରିନେଲା ପୁଲିସ। ରାଜଧାନୀର କଳିଙ୍ଗନଗର ଅଞ୍ଚଳରେ ଚାଲିଥିବା ଏକ ବାଲ୍ୟ ବିବାହକୁ ଅଟକାଇଛି ପୁଲିସ। ବିବାହ କରିବାକୁ ଆସିଥିବା ଯୁବକଙ୍କୁ ପୁଲିସ ଗିରଫ କରିଛି ଓ ବିବାହ ପାଇଁ ଆସିଥିବା ନାବାଳିକାକୁ ଉଦ୍ଧାର କରିଛି। ଭୁବନେଶ୍ୱର ବ୍ଲକ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ, ଚାଇଲ୍ଡଲାଇନ ଓ ତମାଣ୍ଡୋ ଥାନା ପୁଲିସର ମିଳିତ ଉଦ୍ୟମରେ ଏହି ବିବାହକୁ ବନ୍ଦ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ମଡେଲ ଥାନା ଅନ୍ତର୍ଗତ ପାଇକ ତିଗିରିଆ ଗାଁର ବିଶ୍ୱଜିତ ନାୟକ (୨୦)।

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଗତ ସେପ୍ଟେମ୍ବର ମାସରେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ଏନେଇ ପରିବାର ପକ୍ଷରୁ ସେପ୍ଟେମ୍ବର ମାସ ୨୭ ତାରିଖରେ ନିଖୋଜ ନାବାଳିକାଙ୍କ ପରିବାର ଲୋକେ ଖୋର୍ଦ୍ଧା ମଡେଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୪୭୮/୨୨ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ କରୁଥିଲା। ସୋମବାର ତମାଣ୍ଡୋ ଥାନା ଅଧୀନସ୍ଥ କଳିଙ୍ଗନଗର ଅଞ୍ଚଳରେ ଥିବା ଏକ ମନ୍ଦିରରେ ଉକ୍ତ ୧୬ ବର୍ଷୀୟା ନାବାଳିକାଙ୍କର ବାଲ୍ୟ ବିବାହ ଚାଲିଥିବା ଭୈରବୀ କ୍ଲବ ଖୋର୍ଦ୍ଧା ଚାଇଲ୍ଡଲାଇନ ଖବର ପାଇବା ପରେ ଭୁବନେଶ୍ୱର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) କବିତା ମହାପାତ୍ରଙ୍କୁ ଜଣାଇଥିଲା। ସିଡିପିଓ ଶ୍ରୀମତୀ ମହାପାତ୍ର, ଖୋର୍ଦ୍ଧା ଚାଇଲ୍ଡ ଲାଇନ, ଭୁବନେଶ୍ୱର ରୁଚିକା ଚାଇଲ୍ଡ ଲାଇନର ସଦସ୍ୟମାନେ ତମାଣ୍ଡୋ ଥାନା ପୁଲିସର ସହାୟତାରେ କଳିଙ୍ଗନଗର ସ୍ଥିତ ମନ୍ଦିରରେ ପହଞ୍ଚିଥିଲେ। ବାଲ୍ୟ ବିବାହକୁ ବନ୍ଦ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ବର ତଥା ଅଭିଯୁକ୍ତ ବିଶ୍ୱଜିତକୁ ପୁଲିସ ଗିରଫ କରିଥିଲା। ସିଡିପିଓ ଓ ଚାଇଲ୍ଡଲାଇନର ସଦସ୍ୟମାନେ ନାବାଳିକାଙ୍କୁ ବାଲ୍ୟବିବାହର କୁପରିଣାମ ଏବଂ ଆଇନ ସମ୍ପର୍କରେ ଅବଗତ କରାଇଥିଲେ।

ଏଥିସହିତ ନାବାଳିକା ଓ ଅଭିଯୁକ୍ତକୁ ତମାଣ୍ଡୋ ଥାନାକୁ ଅଣାଯାଇଥିଲା। ଏହାପରେ ତମାଣ୍ଡୋ ଥାନା ପୁଲିସ ଉଭୟ ନାବାଳିକା ଓ ଅଭିଯୁକ୍ତ ବିଶ୍ୱଜିତକୁ ଖୋର୍ଦ୍ଧା ମଡେଲ ଥାନାକୁ ହସ୍ତାନ୍ତର କରିଥିଲେ। ନାବାଳିକାଙ୍କୁ ଖୋର୍ଦ୍ଧା ସାମନ୍ତରାପୁରସ୍ଥିତ ମୁକ୍ତଆଶ୍ରା ସ୍ଥଳ ‘ଉଜ୍ଜଲା’ରେ ରଖାଯାଇଛି ଓ ଆସନ୍ତା କାଲି ତାଙ୍କୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯିବ ବୋଲି ଖୋର୍ଦ୍ଧା ମଡେଲ ଥାନା ପୁଲିସ ସୂଚନା ଦେଇଛି। ଏଥିସହିତ ସିଆରପିସି ଧାରା ୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଛି । ଏହି ଚଢ଼ଉରେ ବ୍ଲକ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ କବିତା ମହାପାତ୍ର, ଖୋର୍ଦ୍ଧା ଚାଇଲ୍ଡଲାଇନର ମଣିପାଲ ସାହୁ, ପ୍ରଣତି ପଟ୍ଟନାୟକ, ରୁଚିକା ଚାଇଲ୍ଡ ଲାଇନର ଇତିଶ୍ରୀ ଦାସ, ଚିତ୍ତରଞ୍ଜନ ଭୋଇ ଓ ତମାଣ୍ଡୋ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ସାମିଲ ଥିଲେ।

About The Author: The Sakala