ମୟୁରଭଞ୍ଜ: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ MI-17 ହେଲିକପ୍ଟର ଯୋଗେ ମୟୂରଭଞ୍ଜର ପାହାଡ଼ପୁର ହେଲିପ୍ୟାଡ୍ରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନରେ ସାମିଲ ହେବେ ମୋଦି । ପୂର୍ବରୁ ପାହାଡ଼ପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ମହାମହିମଙ୍କୁ ଶୁଭେଚ୍ଛା ଜଣାଇବା ସହ ସାକ୍ଷାତ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆଜି ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସହ ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଏହି ଗସ୍ତ ଆଦିବାସୀ ବହୁଳ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ରାଇରଙ୍ଗପୁର ତଥା ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ଏକ ସ୍ବର୍ଣ୍ଣିମ ଇତିହାସ।