ଭୁବନେଶ୍ବର: ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ୟସର ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳେ ବାତ୍ୟା ୟସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶାରେ ତୁରନ୍ତ ରିଲିଫ କାର୍ଯ୍ୟ ପାଇଁ ୫୦୦ କୋଟି ସହାୟତା ଘୋଷଣା କରିଛନ୍ତି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ସେପଟେ ଓଡିଶାର କ୍ଷୟକ୍ଷତି ଆକଳନ କରିବାକୁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ ଆସିବ । ଆନ୍ତଃମନ୍ତ୍ରୀସ୍ତରୀୟ ଟିମର ରିପୋର୍ଟ ଆଧାରରେ ପରବର୍ତ୍ତୀ ସହାୟତା ରାଶି ଘୋଷଣା କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାର ୩ଜିଲ୍ଲା ଓ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର କ୍ଷୟକ୍ଷତି ନେଇ ଆକାଶମାର୍ଗରୁ କରିଥିଲେ ଅନୁଧ୍ୟାନ ।
ବିମାନବନ୍ଦରରେ ବସିଥିବା ସମୀକ୍ଷା ବୈଠକରେ ଓଡିଶା ତରଫରୁ କ୍ଷୟୟତି ବାବଦ ଅର୍ଥ ରାଶି ଦାବି କରାଯାଇନଥିଲା । ବରଂ ବାତ୍ୟା ନିରୋଧୀ ଭିତ୍ତିଭୂମି ଦାବି କରିଥିଲା ଓଡ଼ିଶା । ବାତ୍ୟାରେ କଣ କଣ ହୋଇଛି ସେ ନେଇ 8ମିନଟର ଭିଡ଼ିଓ ମୋଦିଙ୍କୁ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଅଞ୍ଚଳର ଚିତ୍ର ପାୱାର ପଏଣ୍ଟ ମାଧ୍ୟରେ ଦେଖାଯାଇଥିଲା । ଏହାସହ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଜଣାଯାଇଛି ।
ବାତ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ସୂରୁପ ୨ଲକ୍ଷ ଅନୁକମ୍ପା ଯୋଗାଇଦିଆଯିବ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବାତ୍ୟା ୟାସରେ ସର୍ବାଧିକ କ୍ଷତି ହୋଇଥିବା ରାଜ୍ୟ ଓଡ଼ିଶାକୁ ୫ଶହ କୋଟି ପ୍ରଦାନ କରାଯାଇଥିବା ବେଳେ ପଶ୍ଚିମବଙ୍ଗକୁ ୨୫୦ କୋଟି ଏବଂ ଝାଡଖଣ୍ଡକୁ ୨୫୦ କୋଟି ସହାୟତା ରାଶି ଘୋଷଣା କରାଯାଇଛି । ସମୀକ୍ଷା ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।