ଓଡ଼ିଶାରେ ମିଳୁନି ପାସପୋର୍ଟ ସେବା, ରାଜ୍ୟ ବାହାରକୁ ଯାଉଛନ୍ତି ଆବେଦନକାରୀ

ଭୁବନେଶ୍ୱର: ଓଡ଼ିଶାରେ ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ। ହେଲେ ଏଠାରେ ପାସ୍‌‌ପୋର୍ଟ ସେବା ଠପ୍‌‌ ହୋଇଯାଇଛି। ଫଳରେ ଲୋକେ ପାସପୋର୍ଟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ପାସ୍‌‌ପୋର୍ଟ ସେବା ପାଇବାକୁ ହେଲେ ଓଡ଼ିଶାବାସୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଛି। ଏପ୍ରିଲ ମାସରୁ ସଫ୍ଟ୍‌‌ୱେର ସମସ୍ୟା ଯୋଗୁଁ ରାଜ୍ୟର ପାସ୍‌‌ପୋର୍ଟ ଆବେଦନକାରୀ ଏଭଳି ସମସ୍ୟା ଭୋଗୁଛନ୍ତି। ବାରମ୍ବାର ଧାରଣା, ପ୍ରତିବାଦ କରୁଛନ୍ତି। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ କରୁଛନ୍ତି। ଏଠାରେ ତାଲା […]

ଭୁବନେଶ୍ୱର: ଓଡ଼ିଶାରେ ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ। ହେଲେ ଏଠାରେ ପାସ୍‌‌ପୋର୍ଟ ସେବା ଠପ୍‌‌ ହୋଇଯାଇଛି। ଫଳରେ ଲୋକେ ପାସପୋର୍ଟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ପାସ୍‌‌ପୋର୍ଟ ସେବା ପାଇବାକୁ ହେଲେ ଓଡ଼ିଶାବାସୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଛି।
ଏପ୍ରିଲ ମାସରୁ ସଫ୍ଟ୍‌‌ୱେର ସମସ୍ୟା ଯୋଗୁଁ ରାଜ୍ୟର ପାସ୍‌‌ପୋର୍ଟ ଆବେଦନକାରୀ ଏଭଳି ସମସ୍ୟା ଭୋଗୁଛନ୍ତି। ବାରମ୍ବାର ଧାରଣା, ପ୍ରତିବାଦ କରୁଛନ୍ତି। ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଆଗରେ ପାଟିତୁଣ୍ଡ କରୁଛନ୍ତି। ଏଠାରେ ତାଲା ପକାଇବାକୁ ମଧ୍ୟ ବହୁବାର ଉଦ୍ୟମ ହେଲାଣି। ହେଲେ ପାସପୋର୍ଟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନ କରିପାରି ଏକପ୍ରକାର ହାତଟେକି ଦେଇଛନ୍ତି।

ମେ’ ୧୪ରେ ଭୁବନେଶ୍ୱରରେ ପାସ୍‌‌ପୋର୍ଟ ପାଇଁ ଆବେଦନ କଲେ ତାସା। ଭେରିଫିକେସନ ପାଇଁ ଜୁନ୍‌‌ ୨୬କୁ ସ୍ଲଟ୍‌‌ ବୁକିଂ ହୋଇଥିଲା। ଟେକ୍ନିକାଲ ସମସ୍ୟା ଯୋଗୁଁ ଏହା ବାତିଲ୍‌‌ ହୋଇଗଲା। ପୁନଃ ଆବେଦନ କରିବାରୁ ସେପ୍ଟେମ୍ବର ୬କୁ ସ୍ଲଟ୍‌‌ ବୁକିଂ ତାରିଖ ଦର୍ଶାଇଲା। ସେ ଏଠାରେ ବାରମ୍ବାର ହଇରାଣ ହେବା ଅପେକ୍ଷା ଗତ ୧୦ରେ ଆନ୍ଧ୍ରପ୍ରଦେଶର ଭାଇଜାଗରେ ପାସ୍‌‌ପୋର୍ଟ ପାଇଁ ଆବେଦନ କରିଥିଲେ। ସେଠୁ ଭେରିଫିକେସନ୍‌‌ ସାରି ଘରକୁ ଫେରିଛନ୍ତି। କେବେଳ ତାସା ନୁହେଁ ଏଭଳି ଅନେକ ଲୋକ ପାସପୋର୍ଟ ସମ୍ପର୍କିତ କାମ ପାଇଁ ରାଜ୍ୟ ବାହାରେ ଥିବା କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ପାସପୋର୍ଟ ପାଇଁ ଅଧିକାଂଶ ଆବେଦନକାରୀ ଏବେ ପଡ଼ୋଶୀ ରାଜ୍ୟ ପାସ୍‌‌ପୋର୍ଟ ଅଫିସ୍‌‌ ଭରସାରେ ତତ୍କାଳ ଆବେଦନ ପାଇଁ ରାଞ୍ଚି, କୋଲକାତା ଓ ଭାଇଜାଗ୍‌‌ ଚାଲି ଯାଉଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ କାହାକୁ ଆବେଦନ ପାଇଁ ସ୍ଲଟ୍‌‌ ମିଳୁନି। ଆଉ କିଏ ଆବେଦନ ପ୍ରକ୍ରିୟା ଶେଷ କଲା ପରେ ବି ପାସପୋର୍ଟ ପାଉନି। ଏପରିକି ୱେବ୍‌‌ସାଇଟ୍‌‌ରୁ ଅଚାନକ ଭାବେ ଆବେଦନକାରୀଙ୍କ ନାଁ, ଗାଁ, ଠିକଣା ଗାଏବ୍‌‌ ହୋଇଯାଉଛି। ସେମାନଙ୍କ ଟଙ୍କା ବି ଫସିଯାଉଛି। ଗତ ଏପ୍ରିଲରୁ ବର୍ତ୍ତମାନ ସୁଧା ଲକ୍ଷାଧିକ ଲୋକ ଆବେଦନ କରି ଏଭଳି ହିନସ୍ତା ଭୋଗୁଛନ୍ତି। ପ୍ରତିଦିନ ସାଧାରଣ ଭାବେ ରାଜ୍ୟରେ ୧ ହଜାରରୁ ଅଧିକ ସ୍ଲଟ୍‌‌ ଏବଂ ତତ୍କାଳ ୮୦ଟି ସ୍ଲଟ୍‌‌ ବୁକିଂ ହୋଇଥାଏ। ହେଲେ ଏବେ ୧୩୦ ଛୁଇଁବା କଷ୍ଟ ହୋଇପଡ଼ୁଛି। ଗତ ଏପ୍ରିଲରୁ ପ୍ରାୟ ଲକ୍ଷାଧିକ ଲୋକେ ପାସପୋର୍ଟ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ସ୍ଲଟ୍‌‌ ମିଳୁନି। ସେମାନେ ୩ ଥର ସ୍ଲଟ୍‌‌ ବୁକ୍‌‌ ତାରିଖ ବଦଳାଇ ସାରିଛନ୍ତି ଏହାସତ୍ତ୍ବେ ବି ସ୍ଲଟ୍‌‌ ମିଳୁନାହିଁ। ସ୍ଲଟ୍‌‌ ମିଳିଲେ ବି ପରବର୍ତ୍ତୀ ସମୟରେ ଏହା ବାତିଲ ହୋଇଯାଇଛି। ପାସ୍‌‌ପୋର୍ଟ ଅଫିସ୍‌‌କୁ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ ହୋଇପଡ଼ିଲେଣି। ତତ୍କାଳ ଆବେଦନ ପାଇଁ ୩ ହଜାର ୫ ଶହ ଟଙ୍କା ଆବଦେନକାରୀଙ୍କ ଆକାଉଣ୍ଟରୁ କଟୁଥିବାବେଳେ ସାଧାରଣ ଆବେଦନ ପାଇଁ ୧୫୦୦ ଟଙ୍କା ଦେବାକୁ ପଡୁଛି। ଅଧିକାଂଶ ସମୟରେ ଏହି ଟଙ୍କା ଫସିଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଲଲାଟେନ୍ଦୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ମେ’ ୨୨ରେ ପାସ୍‌‌ପୋର୍ଟ ସ୍ଲଟ୍‌‌ ବୁକିଂ କରିଥିଲେ। ତାଙ୍କର ଭେରିଫିକେସନ୍‌‌ ହୋଇପାରିଲାନି। ଆସନ୍ତା ୨୪ ତାରିଖର ବୁକିଂ ଏବେ ବାତିଲ୍‌‌ ଦର୍ଶାଉଛି। ଆଞ୍ଚଳିକ ପାସ୍‌‌ପୋର୍ଟ ଅଧିକାରୀ(ଆର୍‌‌ପିଓ) ବି ନିରୁତ୍ତର। ସଫ୍ଟୱେର୍‌‌ ଉପରେ ଦୋଷ ଲଦୁଛନ୍ତି। କ’ଣ କରିବି? ଲଲାତେନ୍ଦୁ ମହାପାତ୍ର ନାମକ ବ୍ୟକ୍ତି ଏନେଇ ‘ଏକ୍ସ’ରେ କ୍ଷୋଭ ପ୍ରକାଶ କରିଛନ୍ତି।

ନୂଆ ପାସ୍‌‌ପୋର୍ଟ ସଫ୍ଟୱେର (ପାସ୍‌‌ପୋର୍ଟ ସେବା ପୋଗ୍ରାମ ୨.୦) କାର୍ଯ୍ୟାକାରୀ ହେବା ଦିନ ଠାରୁ ଏଭଳି ହୋଇଛି। ଅନ୍‌‌ଲାଇନ୍‌‌ ଆବେଦନରେ ଘଣ୍ଟା ଘଣ୍ଟା ବିତିଯାଉଛି। ଯଦିଓ, କୌଣସିମତେ ଆବେଦନ ସରିଗଲା। ତଥାପି ଦୁଃଖ ସରୁନି। ମାସ ମାସ ଧରି ସ୍ଲଟ୍‌‌ ବୁକିଂ ଝିନ୍‌‌ଝଟ୍‌‌ ଲାଗି ରହୁଛି। ଯାଞ୍ଚ ପାଇଁ ଧାର୍ଯ୍ୟ ତାରିଖ ଏକାଧିକ ଥର ବାତିଲ୍‌‌ ହେଉଛି। ପୁଲିସ ଯାଞ୍ଚ ପ୍ରକ୍ରିୟା, ଅଫିସିଆଲ୍‌‌ କାମରେ ବି ଅହେତୁକ ବିଳମ୍ବ ହେଉଛି। ପାସ୍‌‌ପୋର୍ଟ ଅଫିସ୍‌‌ ଚକ୍କର କାଟି କାଟି ନୟାନ୍ତ ହେଉଛନ୍ତି ଆବେଦନକାରୀ। ଏପରିସ୍ଥଳେ ବିଦେଶ ଯାତ୍ରା କରିବାକୁ ଆଶାବନ୍ଧି ବସିଥିବା ଛାତ୍ରଛାତ୍ରୀ, ଶ୍ରମିକ, ମହିଳା, ଉଚ୍ଚ ଶିକ୍ଷିତ ବିଦେଶ ଚାକିରି ଆଶାୟୀଙ୍କ ବିଦେଶ ଯିବା ସ୍ୱପ୍ନ ମଉଳି ଗଲାଣି। ନିଜ ଭାଗ୍ୟ ଭବିଷ୍ୟତକୁ ନେଇ ସେମାନେ ଏବେ ଅନ୍ଧାରରେ ରହିଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ସରକାର, ପାସପୋର୍ଟ କାର୍ଯ୍ୟାଳୟ, ବିଦେଶ ମନ୍ତ୍ରଣାଳୟକୁ ନିଜ ସମସ୍ୟା ନେଇ ବାରମ୍ବାର ଅବଗତ କଲେ ମଧ୍ୟ କେହି ଏହାର ଉତ୍ତର ଦେଉ ନାହାନ୍ତି। ଯାହାକୁ ନେଇ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼଼ିବାରେ ଲାଗିଛି।

ଏ ସମ୍ପର୍କରେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ପୁରୁଣା ସଫ୍ଟୱେର (ପାସ୍‌‌ପୋର୍ଟ ସେବା ପୋଗ୍ରାମ ୧.୦) ଜରିଆରେ ୨୦୧୪ ମସିହାରୁ ସବୁ କାମ ଠିକ୍‌‌ଠାକ୍‌‌ ଚାଲିଥିଲା। ଏପ୍ରିଲରେ ନୂଆ ସଫ୍ଟୱେର କାର୍ଯ୍ୟକାରୀ ହୋଇଥିଲା। ଭୁବନେଶ୍ୱର ସହ ନାଗପୁର ପାସ୍‌‌ପୋର୍ଟ ଅଫିସ୍‌‌ରେ ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ ହୋଇଥିଲା। ଆଗକୁ ଦେଶ ସାରା ଏହି ସଫ୍ଟୱେର ସଂଯୋଗ କରାଯାଇଥାନ୍ତା। ହେଲେ, ପ୍ରାରମ୍ଭରୁ ସଫ୍ଟୱେର ପୋଗ୍ରାମିଂ ଫେଲ୍‌‌ ମାରିଛି। ପୂର୍ବରୁ କେବଳ ଭୁବନେଶ୍ୱର ପାଇଁ ଦୈନିକ ୫୭୦ ସ୍ଲଟ୍‌‌ ବୁକିଂ ହେଉଥିଲା। ଅନ୍ୟ ଜିଲ୍ଲାର ପୋଷ୍ଟ ଅଫିସ୍‌‌ରେ ବୁକିଂ ସଂଖ୍ୟା ପାଖାପାଖି ୫୦୦ ଛୁଉଁଥିଲା। ଏବେ ଭୁବନେଶ୍ୱର ପାଇଁ କଷ୍ଟେମଷ୍ଟେ ମାତ୍ର ୧୨୦ ସ୍ଲଟ୍‌‌ ବୁକିଂ ସମ୍ଭବ ହେଉଛି। ଅନ୍ୟ ଜିଲ୍ଲା ପୋଷ୍ଟ ଅଫିସ୍‌‌କୁ ମାତ୍ର ୫ଟି ବୁକିଂ ଦିଆଯାଉଛି।

About The Author: The Sakala