ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦାବି ପୂରଣ ନହେବାରୁ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇଛି ଓସମା ସଂଘ । ନିଜର ଚାକିରି ସ୍ଥାୟୀକରଣ ଦାବିରେ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ କଡ଼ା ଚେତାବନୀ ଦେଇଛନ୍ତି।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ଦୀର୍ଘ ୧୫ ବର୍ଷ ଧରି ନିଜର ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଆସୁଛନ୍ତି। ବାରମ୍ବାର ଗୁହାରି ସତ୍ତ୍ୱେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ ସଂଘ ପକ୍ଷରୁ ଅନେକ ଥର ଚେତାବନୀ ଦିଆଯିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ସେହି ସମୟରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।

ସରକାରଙ୍କ ପ୍ରତିଶ୍ରୁତିକୁ ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ବାଧ୍ୟ ହୋଇ କର୍ମଚାରୀମାନେ ପୁଣିଥରେ ଆନ୍ଦୋଳନର ପନ୍ଥା ଆପଣେଇଛନ୍ତି। ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଓସମା କର୍ମକର୍ତ୍ତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

About The Author: Tapas Ranjan Nanda