କଟକ/ଭୁବନେଶ୍ୱର : ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’, ‘ସମସ୍ତଙ୍କ ପାଇଁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା’ ମନ୍ତ୍ର ନେଇ କାମ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଚିକିତ୍ସା ବୋଝରୁ ଉଦ୍ଧାର କରିବା ପାଇଁ ବଦ୍ଧ ପରିକର। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ର ସମ୍ପ୍ରସାରଣ କରିଛନ୍ତି। ବିଏସ୍କେୱାଇ ନବୀନ କାଡର଼୍ ନିମନ୍ତେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆବେଦନ ଓ ପଞ୍ଜୀକରଣ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଚାଲିବ ଏବଂ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ବାସିନ୍ଦା ଓ ସରକାରୀ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯିବ। କଟକରେ ଆୟୋଜିତ ଏକ ସମାବେଶରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।
ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ଏବେ ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ବିଏସ୍କେୱାଇ ନବୀନ କାର୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଠାରୁ ଏଥିପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ ଆରମ୍ଭ ହେବ। ଏହି ପଞ୍ଜୀକରଣ ୬ ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ଜାରି ରହିବ। ତେଣୁ ପ୍ରତି ପଞ୍ଚାୟତରେ ବିଏସ୍କେୱାଇରୁ ବାଦ୍ ପଡିଥିବା ଲୋକଙ୍କୁ ନବୀନ କାର୍ଡରେ ସାମିଲ କରିବାରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବିଏସ୍କେୱାଇରେ କେବଳ ରାସନ କାର୍ଡ ଧାରୀଙ୍କୁ ସାମିଲ କରାଯାଇ ଥିବା ବେଳେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବହୁ ଲୋକ ଏଥିରୁ ବାଦ୍ ପଡିଥିଲେ। ବିଏସ୍କେୱାଇର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରକୁ (ସରକାରୀ କର୍ମଚାରୀ, ପେନସନ୍ଭୋଗୀ ଓ ଆୟକର ଦାତାଙ୍କୁ ବାଦ୍ ଦେଇ) ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ନବୀନ କାର୍ଡଧାରୀଙ୍କୁ ଚଳିତ ବର୍ଷ ମେ’ ୧ ତାରିଖରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ମିଳିବ।
ବିଏସ୍କେୱାଇ ନବୀନ କାର୍ଡ ପାଇଁ ଡବ୍ଲଡବ୍ଳୁଡବ୍ଲୁ (ଡଟ୍) ବିଏସ୍କେୱାଇନବୀନ (ଡଟ୍) ଓଡ଼ିଶା (ଡଟ୍) ଇନ୍ ଜରିଆରେ ଅନ୍ଲାଇନରେ ଆବେଦନ କରାଯିବ। ହିତାଧିକାରୀ ନିଜେ ଅବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନବୀନ କାର୍ଡ ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ନବୀନ କାର୍ଡ ହିତାଧିକାରୀମାନେ ଓଡ଼ିଶାରେ ଏବଂ ରାଜ୍ୟ ବାହାରେ ଥିବା ଘରୋଇ ସୁପରସ୍ପେଶାଲିଟି ଡାକ୍ତରଖାନାରେ ଦେୟମୁକ୍ତ ଚିକିତ୍ସା ପାଇବେ। ଏଥିରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା ରହିଛି। ଯେଉଁମାନେ ବିଏସ୍କେୱାଇ କାର୍ଡ ପାଇଛନ୍ତି ସେମାନଙ୍କର ବିଏସ୍କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ସେମାନେ ପାଉଥିବା ଚିକିତ୍ସା ସୁବିଧାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ଅବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ କରି ସାମିଲ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁ ରହିଥିବା ବିଏସ୍କେୱାଇରେ ସ୍ୱତଃ ଅନ୍ତର୍ଭୁକ୍ତ ହେବେ। ତେବେ ବିଏସ୍କେୱାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ନିର୍ଦ୍ଧାରିତ ଗୁରୁତର (କ୍ରିଟିକାଲ) ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ। ହୃଦରୋଗୀ, କିଡ୍ନୀ ରୋଗୀ, ଲିଭର୍ ରୋଗୀ, ବ୍ରେନ୍ ଷ୍ଟ୍ରୋକ୍, ଗମ୍ଭୀର ମସ୍ତିଷ୍କ କ୍ଷତ, ବ୍ରେନ୍ ଟ୍ୟୁମର, ପେଡ଼ାଜଳା ଆହତ, ସ୍ନାୟୁ, ମାଂଶପେଶୀ ଏବଂ କର୍କଟ ରୋଗୀଙ୍କୁ ବିଏସ୍କେୱାଇ ନବୀନ କାର୍ଡରେ ଚିକିତ୍ସା ମିଳିବ।
ବିଏସ୍କେୱାଇ ନବୀନ କାର୍ଡ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ଲାଇନ୍ରେ କିପରି ପଞ୍ଜୀକରଣ କରାଯିବ ସେ ସଂକ୍ରାନ୍ତ ସୂଚନା ପତ୍ରକୁ ଜିଲ୍ଲା ପ୍ରଶାସନ ନିଜ ୱେବ୍ସାଇଟ୍ ଓ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିବେ। ସେହିପରି ମିଶନ୍ ଶକ୍ତି, ପଞ୍ଚାୟତିରାଜ, ମହିଳା ଓ ଶିଶୁ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ଷେତ୍ର ସ୍ତରୀୟ ଅଧିକାରୀମାନେ ନବୀନ କାର୍ଡ ସମ୍ପର୍କରେ ପ୍ରଚାର ପ୍ରସାର କରିବେ। ପ୍ରଚାର କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନକୁ ୧ ଲକ୍ଷ ଟଙ୍କା ମିଳିବ। ଆବଶ୍ୟକ ସ୍ଥଳେ ଜିଲ୍ଳାପାଳ ଅଧିକ ଅର୍ଥ ଖର୍ଚ୍ଚ କରିପାରିବେ ଏବଂ ପରେ ଏହା ଷ୍ଟେଟ୍ ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ପକ୍ଷରୁ ଭରଣା କରାଯିବ।
ବିଏସ୍କେୱାଇ ନବୀନ କାର୍ଡରେ ପଞ୍ଜୀକରଣ ନିମନ୍ତେ ଗ୍ରାମାଞ୍ଚଳରେ ବସବାସ କରିବା ଜରୁରୀ। ପରିବାରର କୌଣସି ସଦସ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକର ଦେଇ ନ ଥିବେ। କୌଣସି ସଦସ୍ୟ ନିୟମିତ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ ପେନସନ୍ଭୋଗୀ ହୋଇ ନ ଥିବା ଜରୁରୀ। ନବୀନ କାର୍ଡ ପରିବାରର ମୁଖ୍ୟଙ୍କ ନାମରେ ପଞ୍ଜୀକରଣ ହେବ। ଗୋଟିଏ ପରିବାରର ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ବିଏସ୍କେୱାଇ ନବୀନ କାର୍ଡ ପାଇଁ ଆବେଦନ କରିପାରିବେ। ଦରଖାସ୍ତକାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି ବାଧ୍ୟତାମୂଳକ ହେବ। ସମସ୍ତ ସଦସ୍ୟଙ୍କ ଭୋଟ ପରିଚୟପତ୍ର ଥିବା ଜରୁରୀ। ୫ ବର୍ଷରୁ କମ୍ ପିଲାଙ୍କ ଆଧାର କାର୍ଡ ଥିବା ଜରୁରୀ। ଯଦି ଏହା ନଥାଏ ତା ହେଲେ ୩୦/୬/୨୦୨୪ ସୁଦ୍ଧା ସମ୍ପୃକ୍ତ ପିଲାଙ୍କର ଆଧାର କାର୍ଡ ଦାଖଲ କରିବା ପାଇଁ ଆବେଦନକାରୀ ପ୍ରତିଜ୍ଞା ପତ୍ର (ଅଣ୍ଡରଟେକିଂ) ଦେବେ।