ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍ । ଡିସେମ୍ବର ୩ ପରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତି ଜଣ ସୁସ୍ଥ ଅଛନ୍ତି ଏବଂ ସେ ଡାକ୍ତରଖାନା ଯାଇନଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ର ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି ।
ବିଶ୍ୱର ଅନେକ ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ.୧ ସଂକ୍ରମଣ ଚିନ୍ତା ବଢ଼ାଇଛି । ଭାରତରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବ୍ୟାପିବାରେ ଲାଗିଛି । କେରଳରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏ ଦୃଷ୍ଟିରୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ଜେଏନ.1 ସଂକ୍ରମିତଙ୍କ ସଂଖ୍ଯା ୨୬ ହୋଇଛି । କେବଳ ଗୋଆରେ ୧୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନରେ ୪ ଜଣ, କେରଳରେ ଜଣେ ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।