ଭୁବନେଶ୍ୱର : ଆଗ ଭଳି ସମୟ ଆଉ ନାହିଁ କି ଓଡ଼ିଶାରୁ ଲୋକ ପେଟପାଟଣା ଅନ୍ୟ ରାଜ୍ୟକୁ ଯିବେ। ଧୀରେ ଧୀରେ ସେହି ସ୍ଥିତିରେ ପରିବର୍ତ୍ତନ ଆସିବାରେ ଲାଗିଛି। ଓଡ଼ିଶା ଏବେ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି। ଆଜିର ଦିନରେ ବେପାର ଆଶା ରଖି ଅନେକ ରାଜସ୍ଥାନୀ ବୁଲା ବେପାରୀ ସୁଦୂର ରାଜସ୍ଥାନରୁ ଓଡ଼ିଶା ଚାଲି ଆସୁଛନ୍ତି। ଏହାର ଉଦାହରଣ ଏବେ ଭୁବନେଶ୍ୱରର ରାସ୍ତାକଡ଼ରେ ଓ ବିଭିନ୍ନ ଛକଗୁଡ଼ିକରେ ଦେଖିବାକୁ ମିଳୁଛି। ବିଶେଷତଃ ମେଳା ମହୋତ୍ସବରେ ସେମାନେ ବିଭିନ୍ନ ଜିନିଷ ବିକ୍ରି କରୁଛନ୍ତି। ମେଳା ବ୍ୟତିତ ଅନ୍ୟ ସମୟରେ ସେମାନେ ଖଣ୍ଡଗିରି, ଧର୍ମବିହାର, ଅଶୋକନଗର, ରାମମନ୍ଦିର ଛକ, ସିଆର୍ପିଏଫ୍ ଛକ, ଜୟଦେବ ବିହାର ଆଦି ଛକରେ ସେମାନଙ୍କ ପସରା ଦେଖିବାକୁ ମିଳୁଛି।
କିଛି ସ୍ଥାନରେ ପୋଷାକ ବିକ୍ରି ତ କିଛି ସ୍ଥାନରେ ଖଡ଼ିକା, ତାୱା, କଡ଼େଇ ଆଦି ନନ୍ଷ୍ଟିକ ଜିନିଷ, ଫୁଲ କୁଣ୍ଡ ଆଦି ବିକ୍ରି କରୁଛନ୍ତି। ସେସବୁ ବଜାର ମୂଲ୍ୟଠୁ କମ୍ରେ ମିଳୁଥିବାରୁ ଲୋକ ମଧ୍ୟ ସେଠାରେ ଅଧିକ ଭିଡ଼ ଜମାଉଛନ୍ତ। ଏହା ସେମାନେ ନିଜେ ତିଆରି କରୁନାହାନ୍ତି ବରଂ ନିଜ ଆଖପାଖ ଦୋକାନରୁ ଜିନିଷ କିଣିନେଇ ମେଳାରେ ତାକୁ ହିଁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ଏନେଇ ରାଜସ୍ଥାନୀ ମହିଳା ସୀତା କୁହନ୍ତି ସେ ପ୍ରତିବର୍ଷ ଏଠାକୁ ଆସିଥାନ୍ତି। ମିଳିତ ଭାବେ ୪୦ରୁ ୫୦ଜଣ ନିଜ ପରିବାର ସହ ଆସି ଭିନ୍ନ ଭିନ୍ନ ସ୍ଥାନରେ ନିଜ ବ୍ୟବସାୟର ପସରା ମେଲାଇଥାନ୍ତି।
ସେମାନେ ପାଖାପାଖି ୫ରୁ ୬ମାସ ଓଡ଼ିଶାରେ ରହିଥାନ୍ତି। ଏହାପରେ ସେ ନିଜ ରାଜ୍ୟକୁ ଫେରିଯାନ୍ତି। ଡିସେମ୍ବରରେ ଖ୍ରୀଷ୍ଟ୍ମାସ ସମୟରୁ ଆସି ଖ୍ରୀଷ୍ଟମାସ ସାଜସଜା ଉପକରଣ ବିକ୍ରି କରିଥାନ୍ତି। ଏବେ ଖଣ୍ଡଗିରି ମେଳାରେ ତାଙ୍କର ଭଲ ବିକ୍ରି ହୋଇଛି ଯେଉଁଥିରେ ସେମାନେ ରଙ୍ଗବେରଙ୍ଗ ବେଲୁନ, ଡ୍ରେସ, ଜୀବଜନ୍ତୁଙ୍କ ମୁଖା, କଣ୍ଢେଇ ଆଦି ବିକ୍ରି କରିଥାନ୍ତି। ଏହି ମେଳା ସରିଗଲେ ପୁଣି ଅନ୍ୟ ମେଳା ଯେଉଁଠି ହୁଏ ସେଠାକୁ ଚାଲିଯାନ୍ତି। ଏହିପରି ସେ ମେ’ ମାସ ଯାଏଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇଥାନ୍ତି। ବର୍ଷା ଦିନ ଆସିବା ଆଗରୁ ସେମାନେ ନିଜ ରାଜ୍ୟକୁ ଫେରିଯାନ୍ତି ବୋଲି କହିଛନ୍ତି।