ଭୁବନେଶ୍ୱର: ଚଳିତବର୍ଷ ରଜରେ ପରଦାକୁ ଆସିବ ୨ଟି ନୂଆ ଓଡ଼ିଆ ସିନେମା। ବାବୁସାନ୍ଙ୍କ ‘ବୋଉ ବୁଟୁ ଭୂତ’ ଏବଂ ସବ୍ୟସାଚୀଙ୍କ ‘ଅନନ୍ତା’। ଏହାସହିତ ରଜର ଅବ୍ୟବହିତ ପୂର୍ବରୁ ଗତ ୬ ତାରିଖରେ ମୁକ୍ତିଲାଭ କରିଛି ଶ୍ରୀଧର ମାର୍ଥା ଓ କିଶୋର ନାୟକଙ୍କ ପ୍ରଯୋଜିତ ଆଉ ଏକ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’। ରଜ ଉପଲକ୍ଷେ ଏହି ୩ଟି ସିନେମା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ଆଶା ରଖିଛନ୍ତି। ‘ବୋଉ ବୁଟୁ ଭୂତ’ ଏବଂ ‘ଅନନ୍ତା’ ଆସନ୍ତା ୧୨ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଏହି ସିନେମାଗୁଡ଼ିକର ଟ୍ରେଲର୍ ଓ ପୋଷ୍ଟର ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି।
ସାଧାରଣତଃ ଆଗରୁ ରଜ, ଦୁର୍ଗାପୂଜା ଆଦି ପର୍ବପର୍ବାଣିରେ ପ୍ରତିଯୋଗିତା ଭାବେ ସିନେମା ରିଲିଜ୍ ହେଉଥିବାବେଳେ ଚଳିତବର୍ଷ ରଜରେ ମାତ୍ର ୨ଟି ସିନେମା ପରଦାକୁ ଆସିବ। କରୋନା ମହାମାରୀ ପରଠୁ ଯଦିଓ ଓଡ଼ିଆ ସିନେମାଠାରୁ ଦର୍ଶକ ମୁହଁ ଫେରାଇ ନେବା ଭଳି ପ୍ରତୀୟମାନ ହେଉଛି, ତଥାପି ମୌଳିକ କାହାଣୀକୁ ନେଇ ନିର୍ମିତ କେତୋଟି ଓଡ଼ିଆ ସନେମା ପରଦାକୁ ଆସିବା ପରେ ଦର୍ଶକ ହଲ୍ମୁହାଁ ହେଉଥିବା ବି ଦେଖିବାକୁ ମିଳିଛି। ରଜରେ ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ରାଣ୍ଡିପୁଅ ଅନନ୍ତା’ର କାହାଣୀକୁ ନେଇ ନିର୍ମିତ ‘ଅନନ୍ତା’ ଶେଷରେ ଦର୍ଶକଙ୍କ ନିଟକରେ ପହଞ୍ଚିବାକୁ ଯାଉଛି। ସିନେମାର ନାଁକୁ ନେଇ ଅନେକ ବିବାଦ ପରେ ନାଁ ବଳାଯାଇଥିଲା। ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ସୂର୍ଯ୍ୟମୟୀ ରହିଛନ୍ତି। ସୁଶାନ୍ତ କୁମାର ମହାପାତ୍ର ଓ ଶ୍ୱେତପଦ୍ମା ମହାନାତ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡ଼ିକ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମ୍ଦାର।
ସେହିପରି ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏବଂ ତୃପ୍ତୀ ମହାନ୍ତିଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ରେ ବାବୁଶାନ୍ଙ୍କ ସହିତ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ଯୋଡ଼ିକୁ ଦୀର୍ଘବର୍ଷର ବ୍ୟବଧାନ ପରେ ପୁଣିଥରେ ଏକାଠି ଦେଖିବାକୁ ମିଳିବ। ସେହିପରି ଅପରାଜିତା ଏବଂ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କୁ ମଧ୍ୟ ଏହି ସିନେମାରେ ଦେଖିବାକୁ ପାଇବେ ଦର୍ଶକ।
ସେହିପରି ରେଞ୍ଜ ରୟାଲ୍ ଲାବ୍ ବ୍ୟାନର୍ରେ ଏବଂ ଜୀ ସାର୍ଥକ ସହଯୋଗରେ ପ୍ରସ୍ତୁତ ‘ଫାଷ୍ଟ ଲଭ୍’ ଚଳିତ ମାସ ୬ ତାରିଖରେ ମୁକ୍ତିଲାଭ କରିଥିବାବେଳେ ରଜରେ ମଧ୍ୟ ସିନେମାଟି ଦର୍ଶକଙ୍କୁ ହଲମୁହାଁ କରାଇବ ବୋଲି ପ୍ରଯୋଜନା ସଂସ୍ଥା ଆଶାବ୍ୟକ୍ତ କରିଛନ୍ତି। ଏଥିରେ ଶୈଳେନ୍ଦ୍ର ଓ ଦିବ୍ୟାଙ୍କ ସମେତ ଚୌଧୁରୀ ଜୟପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି।