ବ୍ରହ୍ମପୁର: ବ୍ରହ୍ମପୁରରୁ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । କେରଳ ଭୂସ୍ଖଳନ ଘଟଣାରେ ଉଦ୍ଧାରକାରୀ ଦଳକୁ ସହଯୋଗ କରିବା ଓ ଫଶିଥିବା ଲୋକଙ୍କ ସନ୍ଧାନ ଲାଗି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’କୁ କେରଳର ୱାୟନାଡ୍ ପଠଗଲା । ସନ୍ଧାନୀ କୁକୁର ଷ୍ଟର୍ମ ସହ ଜଣେ ଟ୍ରେନର ଓ ଜଣେ ସବ-ଇନସପେକ୍ଟର ମଧ୍ୟ କେରଳ ଗସ୍ତ କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁର ପୋଲିସ ଟିମ କେରଳ ଯାତ୍ରା କରିଛନ୍ତି ।
ଭୂସ୍ଖଳନର ୬ ଦିନ ପରେ ବି ୱାୟନାଡରେ ସରିନି ମାଟି ଓ ପଥର ତଳୁ ଜୀବନ ଖୋଜା। ଅହରହ ଚାଲିଛି ରେସକ୍ୟୁ ଅଭିଯାନ। ସେନା, ଏନ୍ଡିଆରଏଫ ସମେତ ବିଭିନ୍ନ ସଂସ୍ଥା ଓ ସ୍ୱେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଉ ଜୀବନ ଉଦ୍ଧାର ହେବା ସହ ଦିନକୁ ଦିନ ବଢୁଛି ମୃତ୍ୟୁସଂଖ୍ୟା। ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।