କ୍ରୀଡ଼ାରେ ଉତ୍କର୍ଷ: ନବୀନ ପୃଷ୍ଠପୋଷକ, ୩୮୮ କ୍ରୀଡ଼ାବିତ୍‌‌ଙ୍କୁ ୨.୦୨ କୋଟିର ଆର୍ଥିକ ପୁରସ୍କାର

ଭୁବନେଶ୍ୱର: ଦିନ ଥିଲା ପିଲା ଖେଳିବା ପାଇଁ ଭଲ ପଡ଼ିଆଟିଏ ନ ଥିଲା। ଅଭ୍ୟାସ କରାଇବା ଲାଗି ପ୍ରଶିକ୍ଷକ ନ ଥିଲେ। ରାଜ୍ୟର ସୀମା ମଧ୍ୟରେ ସୀମିତ ରହି ଯାଉଥିଲା ଓଡ଼ିଶାର ପିଲାମାନଙ୍କ ପ୍ରତିଭା। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାର ମନୋଭାବ ଓ ପୃଷ୍ଠପୋଷକତା କ୍ରୀଡ଼ା କ୍ଷେତ୍ରରେ ରାଜ୍ୟକୁ ନୂଆ ପରିଚୟ ଦେଇଛି। କେବଳ ରାଜ୍ୟ କ୍ରୀଡ଼ାର ବିକାଶ ହୋଇନି; ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେଇ କ୍ରୀଡ଼ାବିତ୍‌‌ମାନଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିବା ସହ […]

ଭୁବନେଶ୍ୱର: ଦିନ ଥିଲା ପିଲା ଖେଳିବା ପାଇଁ ଭଲ ପଡ଼ିଆଟିଏ ନ ଥିଲା। ଅଭ୍ୟାସ କରାଇବା ଲାଗି ପ୍ରଶିକ୍ଷକ ନ ଥିଲେ। ରାଜ୍ୟର ସୀମା ମଧ୍ୟରେ ସୀମିତ ରହି ଯାଉଥିଲା ଓଡ଼ିଶାର ପିଲାମାନଙ୍କ ପ୍ରତିଭା। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାର ମନୋଭାବ ଓ ପୃଷ୍ଠପୋଷକତା କ୍ରୀଡ଼ା କ୍ଷେତ୍ରରେ ରାଜ୍ୟକୁ ନୂଆ ପରିଚୟ ଦେଇଛି। କେବଳ ରାଜ୍ୟ କ୍ରୀଡ଼ାର ବିକାଶ ହୋଇନି; ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଯୋଗାଇଦେଇ କ୍ରୀଡ଼ାବିତ୍‌‌ମାନଙ୍କ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟ ସରକାର ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀରେ ପରିଣତ କରିଛନ୍ତି। ବ୍ରହ୍ମଗିରିର ଗରିବ ପରିବାରର ଯୁବକ କିଶୋର ଜେନା ବୁଦାପେଷ୍ଟରେ ଅନ୍ତର୍ଜାତୀୟ ମଞ୍ଚରେ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି।

କେବଳ କିଶୋର ନୁହେଁ; ଅମିତ ରୋହିଦାସ, ପ୍ୟାରି ଖାକା, ପୂର୍ଣ୍ଣିମା ହେମ୍ବ୍ରମ୍‌‌, ଦେବାଶିଷ ସାହୁ, ପ୍ରମୋଦ ଭଗତ, ଦୂତୀ ଚାନ୍ଦଙ୍କ ଭଳି ଅଖ୍ୟାତ ପଲ୍ଲୀର ଉଦୀୟମାନ ଖେଳାଳି ଭାରତର ପ୍ରତିନିଧିତ୍ୱ କରିବା ସହ ଗୋଟିଏ ପରେ ଗୋଟିଏ ପଦକ ଜିତି ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି। ହକିର ପୃଷ୍ଠପୋଷକତା ଦେଶକୁ ଦେଇଛି ଅଲିମ୍ପିକ୍ସ ମେଡାଲ। ଫୁଟବଲ, ବ୍ୟାଡ୍‌‌ମିଣ୍ଟନ ଆଦି କ୍ଷେତ୍ରରେ ନୂଆ ପ୍ରତିଭା ସୃଷ୍ଟି ହୋଇପାରିଛନ୍ତି। ରାଜ୍ୟରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ଦୁଇ ଦଶନ୍ଧି ଧରି ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌‌ରେ ପରିଣତ କରିପାରିଛି। ଆଜି ବିଶ୍ୱ କ୍ରୀଡ଼ା ଦିବସ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପ୍ରଦାନ ସମାରୋହରେ ବିଭିନ୍ନ ବିଭାଗରେ ୩୮୮ ଜଣ କ୍ରୀଡ଼ାବିତ୍‌‌ଙ୍କୁ ୨କୋଟି ୨ଲକ୍ଷ ୩୦ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରି ରାଜ୍ୟ ସରକାର ପ୍ରତିଭାବାନ କ୍ରୀଡ଼ାବିତ୍‌‌ଙ୍କୁ ପ୍ରୋତ୍ସାହିତ କରିଛନ୍ତି।

କ୍ରୀଡ଼ା ଭିତ୍ତିଭୂମିକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଗତ ତିନି ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟ୍‌‌ରେ ତିନି ଗୁଣା ବୃଦ୍ଧି କରିଛନ୍ତି। କ୍ରୀଡ଼ାର ଭିତ୍ତିଭୂମି ବିକାଶ ହେଉ ଅବା ପାଠ୍ୟକ୍ରମରେ କ୍ରୀଡ଼ାର ମିଶ୍ରଣ ହେଉ ଅବା ଖେଲୋ ଇଣ୍ଡିଆ ପଦକ୍ଷେପ, ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଫଳପ୍ରସୂ ହେବାରେ ଲାଗିଛି। ୨୦୧୬ ମସିହାରେ ଓଡ଼ିଶା ବିଶ୍ୱ କନିଷ୍ଠ ଚେସ୍‌‌ ଚାମ୍ପିଅନ୍‌‌ସିପ୍‌‌ ଆୟୋଜନ କରିବାର ସୌଭାଗ୍ୟ ଅର୍ଜନ କରିଥିଲା। ଆଉ ଏକ ପାଦ ଆଗକୁ ଯାଇ ଶିକ୍ଷାନୁଷ୍ଠାନରେ ଚେସ୍‌‌ ଖେଳାଳି ସୃଷ୍ଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅପରପକ୍ଷେ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆ ଲିଗ୍‌‌ ପାଇଁ କଳିଙ୍ଗ ଲାନ୍ସର ଟିମ୍‌‌ର ଫ୍ରାଞ୍ଚାଇଜି ଗ୍ରହଣ ପାଇଁ ପଦକ୍ଷେପ ନେଇଥିଲେ। ୨୦୧୪ରେ ଭୁବନେଶ୍ୱର ହକି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାର ସୌଭାଗ୍ୟ ଅର୍ଜନ କରିଥିଲା। ୨୦୧୫ରେ ଇଣ୍ଡୋ-ଜାପାନ ହକି ସିରିଜ୍‌‌ ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା। ୨୦୧୭ରେ ଓଡ଼ିଶା ଏଫ୍‌‌ଆଇଏଚ୍‌‌ ବିଶ୍ୱ ହକି ଲିଗ୍‌‌ ଆୟୋଜନ କରିଥିଲା। କେବଳ ଏତିକି ନୁହେଁ; ୨୨ତମ ଏସିଆନ୍‌‌ ଆଥଲେଟିକ୍‌‌ ମିଟ୍‌‌ ଆୟୋଜନ ପାଇଁ ଶେଷ ମୁହୂର୍ତ୍ତରେ ଝାଡ଼ଖଣ୍ଡ ସରକାର ପଛଘୁଞ୍ଚା ଦେବା ପରେ ଓଡ଼ିଶା ଏହି ଦାୟିତ୍ୱ ନେବା ପାଇଁ ଆଗେଇ ଆସିଥିଲା ଏବଂ ୯୦ ଦିନ ଧରି ଏହାର ସଫଳ ଆୟୋଜନ ମଧ୍ୟ କରିଥିଲା।

ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍‌‌ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନର ସଫଳତା ପାଇଛି ଓଡ଼ିଶା। ପରିଣାମ ସ୍ୱରୂପ ଓଡ଼ିଶା ଆଜି କ୍ରୀଡ଼ା ହବ୍‌‌ରେ ପରିଣତ ହୋଇଛି, ଆଉ ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀର ମାନ୍ୟତା ମିଳିଛି। ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ଓଡ଼ିଶାକୁ ପ୍ରଶଂସାର ସୁଅ ଛୁଟିଛି। ହକିରେ ପୁଞ୍ଜି ବିନିଯୋଗ ଅର୍ଥ ହେଉଛି ଆଗାମୀ ପିଢ଼ି ପାଇଁ ପୁଞ୍ଜି ବିନିଯୋଗ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କହି ଆସୁଛନ୍ତି। କ୍ରୀଡ଼ାବିତ୍‌‌ଙ୍କ ପ୍ରତିଭା ଚିହ୍ନଟ, ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରତିଯୋଗିତାରେ ଅଂଶଗ୍ରହଣକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏବେ ସମସ୍ତ ଅଲମ୍ପିକ୍‌‌ କ୍ରୀଡ଼ା ଲାଗି ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଫୁଟ୍‌‌ବଲ୍‌‌, ଦୌଡ଼କୁଦ, ଭଲିବଲ୍‌‌, ଭାରୋତ୍ତୋଳନ, ବନ୍ଧୁକ ଚାଳନା, ଜିମ୍ନାଷ୍ଟିକ୍‌‌, ଚେସ୍‌‌, ସନ୍ତରଣ, ସାମରିକ କ୍ରୀଡ଼ା, ରଗ୍‌‌ବୀ, ବ୍ୟାଡ୍‌‌ମିଣ୍ଟନ, ଟେନିସ୍‌‌, ଟେବଲ ଟେନିସ୍‌‌ରେ ପାରଦର୍ଶିତା କେନ୍ଦ୍ର (ଏଚ୍‌‌ପିସି) ପ୍ରତିଷ୍ଠା କରାଯାଇଛି। ଅଲିମ୍ପିକ୍‌‌ ସ୍ୱର୍ଣ୍ଣପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କ ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରରେ ଖେଳାଳିଙ୍କ ଚିକିତ୍ସା କରିବା ସହିତ ଦକ୍ଷତା ବିକାଶ ସୁନିଶ୍ଚିତ କରାଯାଇଛି। କେବଳ ଉନ୍ନତ କେନ୍ଦ୍ର ପ୍ରତିଷ୍ଠା ହୋଇନାହିଁ; ବିଭିନ୍ନ କର୍ପୋରେଟ୍‌‌ ସଂସ୍ଥା ସହଯୋଗରେ ଏହି କେନ୍ଦ୍ରରେ ଉଚ୍ଚକୋଟିର ତଥା ବିଶ୍ୱସ୍ତରୀୟ ପ୍ରଶିକ୍ଷକ, ଅତ୍ୟାଧୁନିକ କୌଶଳ ବ୍ୟବସ୍ଥା କରାଯାଇଛି। କିଶୋର ଜେନା ଓ ବାପି ହାଂସଦାଙ୍କ ଭଳି ସଫଳ କ୍ରୀଡ଼ାବିତ୍‌‌ଙ୍କ ଉତ୍ତରଣ ହିଁ ଏହି ବ୍ୟବସ୍ଥାର ଫଳଶ୍ରୁତି।

About The Author: The Sakala