୧.୨୩ କୋଟି ସରକାରୀ ଟଙ୍କା ହଡ଼ପ ମାମଲା: ଗିରଫ ହେଲେ ସାତକୋଶିଆ DFO ଅଫିସ୍‌ର ବରିଷ୍ଠ ସହାୟକ ଅଜୟ ନାୟକ

ଅନୁଗୋଳ : ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ଡିଏଫଓ (DFO) କାର୍ଯ୍ୟାଳୟରେ ପ୍ରାୟ ୧.୨୩ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠି ହରିଲୁଟ୍ ଅଭିଯୋଗରେ ବରିଷ୍ଠ ସହାୟକ ଅଜୟ କୁମାର ନାୟକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଦୀର୍ଘ ଦିନ ଧରି ଫେରାର ଥିବା ଅଜୟଙ୍କୁ ଶୁକ୍ରବାର ରାତିରେ ଅନୁଗୋଳ ସହରରୁ କାବୁ କରାଯାଇଛି। ସେ ଏକ କାର୍‌ରେ ନିଜ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା।

ଭିଜିଲାନ୍ସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଅଜୟ କୁମାର ନାୟକ ୨୦୧୯ ଜାନୁଆରୀ ୧ ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ସମୁଦାୟ ୧,୨୩,୫୨,୫୪୭ ଟଙ୍କା ଆତ୍ମସାତ କରିଛନ୍ତି। କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦରମା, ବ୍ୟବହୃତ ହୋଇନଥିବା ଛୁଟି ବାବଦ ଅର୍ଥ (Unutilised Leave Salary) ଏବଂ ବକେୟା ଅର୍ଥର ପ୍ରକ୍ରିୟାକରଣ ଦାୟିତ୍ୱରେ ଥିବା ବେଳେ ସେ ଏହି ଜାଲିଆତି କରିଥିଲେ।

ଅଜୟ ନାୟକ ସରକାରଙ୍କ HRMS ପୋର୍ଟାଲରେ ଅନଲାଇନ୍ କାରବାର ରେକର୍ଡକୁ ଅତି ଚତୁରତାର ସହ ମାନିପୁଲେଟ୍ କରୁଥିଲେ। ସେ ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ନକଲି 'ଲିଭ୍ ସାଲାରୀ' ଏବଂ ବକେୟା ଅର୍ଥର ଦାବି ଉପସ୍ଥାପନ କରୁଥିଲେ। ସେହି ଟଙ୍କାକୁ ପ୍ରକୃତ ହିତାଧିକାରୀଙ୍କ ପାଖକୁ ନପଠାଇ ସେ ନିଜର ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟ ଦୁଇଜଣ ସହଯୋଗୀଙ୍କ ଆକାଉଣ୍ଟକୁ NEFT ମାଧ୍ୟମରେ ପଠାଇ ଦେଉଥିଲେ।

ଏହି ଦୁର୍ନୀତି ନଜରକୁ ଆସିବା ପରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ବିଭିନ୍ନ ଧାରା ଲଗାଯାଇଛି। ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି କି ନାହିଁ, ସେ ନେଇ ଅଧିକ ଛାନଭିନ୍ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

About The Author: Madhusudan Das