ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OCCL ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପଟ୍ଟାଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗିରଫ ହେଲେ OCCL ନିର୍ବାହୀ ଯନ୍ତ୍ରୀ ସଂଜୟ କିସପଟ୍ଟା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ବାବୁଙ୍କ ଘରେ ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡ୍ ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେ ବର୍ତ୍ତମାନ ବଲାଙ୍ଗୀରର ଲୋୟର ସୁକତେଲ ପ୍ରକଳ୍ପରେ ଡେପୁଟେସନରେ କାର୍ଯ୍ୟରତ ଥିଲେ। ଗିରଫ ପରେ ତାଙ୍କୁ ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହାଜର କରାଯିବ।

ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଆଖିଖୋସି ହୋଇଯିବା ଭଳି ବିପୁଳ ପରିମାଣର ସମ୍ପତ୍ତି ଠାବ କରିଛନ୍ତି। ଯାଞ୍ଚ ସମୟରେ ୨ଟି ବହୁତଳ କୋଠା ସମେତ ୮,୦୦୦ ବର୍ଗଫୁଟର ଏକ ବିଶାଳ ବାଣିଜ୍ୟିକ ଲଜ୍ ଠାବ ହୋଇଛି ଯେଉଁଥିରେ ୨୩ଟି ରୁମ୍ ରହିଛି। ଏହା ବ୍ୟତୀତ ୯ଟି ମୂଲ୍ୟବାନ ପ୍ଲଟ୍, ବ୍ୟାଙ୍କରେ ୪୬.୦୯ ଲକ୍ଷ ଟଙ୍କାର ଜମା, ୧.୧୬ ଲକ୍ଷ ଟଙ୍କା ନଗଦ, ୩୨୫ ଗ୍ରାମ ସୁନା, ୧.୧୨୧ କିଲୋଗ୍ରାମ ରୁପା ଏବଂ ୨ଟି ଚାରିଚକିଆ ଯାନ ଜବତ କରାଯାଇଛି।

ଏତେ ପରିମାଣର ସମ୍ପତ୍ତିର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେବାରେ ଅଭିଯୁକ୍ତ ସଞ୍ଜୟ କୁମାର କିସ୍ପାଟା ବିଫଳ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୫/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତିଗ୍ରସ୍ତ ତଥା ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରୁଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଥିବା ଅଭିଯାନର ଏହା ଏକ ଅଂଶବିଶେଷ ବୋଲି ଭିଜିଲାନ୍ସ ଅଧିକାରୀମାନେ ପ୍ରକାଶ କରିଛନ୍ତି।

About The Author: Madhusudan Das