ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ

୧୦ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ବିପୁଳ ସମ୍ପତ୍ତି ଜବତ

ସୁନ୍ଦରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଲାଠିକଟା ତହସିଲଦାରଙ୍କୁ ଗିରଫ କଲା ଭିଜିଲାନ୍ସ ।  ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁରୁବାର ଦିନ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଶୁକ୍ରବାର ଦିନ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟରେ ହାଜର କରାଯାଇଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଦିନ ତହସିଲଦାର ମୁରଲୀଧର ଉର୍ମାଲ ଏକ ଭଡ଼ା ଗାଡ଼ି ଯୋଗେ ଅଫିସରୁ ରାଉରକେଲା ସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଏହି ସମୟରେ ଲାଠିକଟା ନିକଟସ୍ଥ ରାଜାବାସା ଛକ ଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ନଗଦ ୫ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ଦେଇନପାରିବାରୁ ତାଙ୍କୁ ଅଟକ ରଖାଯିବା ସହ ଗାଡ଼ିକୁ ଜବତ କରାଯାଇଥିଲା। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନା କେସ୍ ନମ୍ବର ୯ ରୁଜୁ କରାଯାଇ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଟକ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଏକାଧିକ ଠିକଣାରେ ସମାନ୍ତରାଳ ଚଢ଼ାଉ କରାଯାଇଥିଲା। ରାଉରକେଲା ସିଭିଲ୍ ଟାଉନସିପ୍ ସ୍ଥିତ ଘର, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡିହି ଗାଁ ରେ ଥିବା ପୈତୃକ ବାସଭବନ ଏବଂ ଲାଠିକଟା ତହସିଲ ଅଫିସରେ ଯାଞ୍ଚ କରାଯାଇଥିଲା। ଘରୁ ଆହୁରି ୫.୮୩ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା। ଫଳରେ ସମୁଦାୟ ନଗଦ ଟଙ୍କା ଜବତ ପରିମାଣ ୧୦.୮୩ ଲକ୍ଷ ଟଙ୍କା ରେ ପହଞ୍ଚିଛି।

ଏହା ବ୍ୟତୀତ ଯାଞ୍ଚ ବେଳେ ତାଙ୍କ ଓ ତାଙ୍କ ପରିବାର ନାମରେ ଥିବା ଅନେକ ସମ୍ପତ୍ତିର ତାଲିକା ମିଳିଛି। ସେଥିମଧ୍ୟରେ ୬୦୬ ଗ୍ରାମ ସୁନା ଏବଂ ୬୩୫ ଗ୍ରାମ ରୂପା ଅଳଙ୍କାର ଥିବା ବେଳେ, ବ୍ୟାଙ୍କ ଓ ବୀମାରେ ମୋଟ ୭୫.୩୧ ଲକ୍ଷ ଟଙ୍କା ର ଜମା ରହିଛି। ସେହିପରି ସୁନ୍ଦରଗଡ଼ର କରମଡିହିରେ ୩,୭୦୦ ବର୍ଗଫୁଟ ର ଏକ ଦୁଇ ମହଲା କୋଠା, ସୁନ୍ଦରଗଡ଼ ସହର ଉପକଣ୍ଠରେ ୬ଟି ଦାମୀ ପ୍ଲଟ୍, ଗୋଟିଏ କାର୍ ଏବଂ ୩ଟି ଦୁଇ ଚକିଆ ଯାନ ଭିଜିଲାନ୍ସ ଠାବ କରିଛି।

About The Author: Madhusudan Das