ଭୁବନେଶ୍ବର : ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଛି। ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପୁଣିଥରେ ଲେଉଟିଥିବାରୁ ସତର୍କ ଏବଂ ସଚେତନ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିବା ସହ ସାମାଜିକ ଦୂରତା ରକ୍ଷାକରିବା ଏବଂ ମାକ୍ସ ପିନ୍ଧିବାକୁ ପୁନର୍ବାର ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଅନୁରୋଧ କରିଥିଲେ। ଏଥି ସହିତ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଦେଖାଯାଇଥିବାରୁ କଟକଣାକୁ ଆହୁରି କଡାକଡି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିବାର ମାତ୍ର ଘଣ୍ଟାଏ ନପୁରୁଣୁ ରାଜ୍ୟ ପୁଲିସ ଡିଜି ଅଭୟ ସମସ୍ତ ଜିଲ୍ଲା ଏସପି, ଡିସିପି, କଟକ ଓ ରାଉରକେଲା ରେଳବାଇ ଏସପିଙ୍କୁ ଚିଠି ଲେଖି ଏପ୍ରିଲ ୭ରୁ ୧୬ତାରିଖ ପର୍ଯ୍ୟନ୍ତ କୋଭିଡ୍ ଗାଇଡଲାଇନକୁ ଓ ନିରାପତ୍ତାକୁ କଡ଼ାକଡ଼ି ପାଳନ ନିମନ୍ତେ ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ ହେଉଛି କି ନାହିଁ ତାହା ଯାଂଚ କରି ଦୈନିକ ଏକ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ଅତିରିକ୍ତ ଡିଜି(ଆଇନଶୃଙ୍ଖଳା)କୁ ପଠାଇବାକୁ କହିଛନ୍ତି।
ଏହି ଅଭିଯାନ ନିମନ୍ତେ ଏସପିମାନଙ୍କୁ ଗାଇଡ୍ କରିବାକୁ ରେଞ୍ଜ ଡିଆଇଜି, ଆଇଜି, ପୁଲିସ କମିଶନର ଓ ଅତିରିକ୍ତ ଡିଜିମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ନିୟମ ପାଳନକୁ କଡ଼ାକଡ଼ି କରିବା ସହ କୋଭିଡ୍ ପାଇଁ ସଚେତନତା କାର୍ୟ୍ୟକ୍ରମ ମଧ୍ୟ ସମାନ୍ତରାଳ ଭାବେ ଚଳାଇବାକୁ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି।