ଆଜି ବାଚସ୍ପତିଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶା ବିଧାୟକ, ରାଇସିନା ହିଲ୍ସରେ ମ୍ୟାଡାମ୍‌ ପ୍ରେସିଡେଣ୍ଟଙ୍କୁ ଜଣାଇବେ ଅଭିନନ୍ଦନ

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧିତ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଦିନ ସାଢ଼େ ୧୧ଟାରେ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିବେ । ଏହାସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଜଗନ୍ନାଥଙ୍କ ମହାପ୍ରସାଦ, ରୂପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ୱରୂପ ଦିଆଯିବ । ଏହି କ୍ରମରେ ଗତକାଲି(ମଙ୍ଗଳବାର) […]

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧିତ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଦିନ ସାଢ଼େ ୧୧ଟାରେ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିବେ । ଏହାସହ ମହାମହିମଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଜଗନ୍ନାଥଙ୍କ ମହାପ୍ରସାଦ, ରୂପାର ଜଗନ୍ନାଥଙ୍କ ମୂର୍ତ୍ତି, ଓଡ଼ିଶାର କଳା ସଂସ୍କୃତି ଉପରେ ଅନେକ ଚିତ୍ର ଉପହାର ସ୍ୱରୂପ ଦିଆଯିବ ।

ଏହି କ୍ରମରେ ଗତକାଲି(ମଙ୍ଗଳବାର) ରାଜଧାନୀ ଭୁବନେଶ୍ୱରରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଧାୟକ ଦଳ ଟିମ୍‍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବୁଧବାର ଦିନ ୧୦ଟାରୁ ୧୧ଟା ୩୦ ମିନିଟ୍‍ ମଧ୍ୟରେ ପ୍ରତିନିଧି ଦଳ ରାଇସିନା ହିଲ୍‍ ସ୍ଥିତ ରାଷ୍ଟ୍ରପତି ଭବନକୁ ଗସ୍ତ କରି ରାଷ୍ଟ୍ରପତିଙ୍କୁ ଭେଟିବେ । ପ୍ରତିନିଧି ଦଳର ରହଣି ପାଇଁ ଓଡ଼ିଶା ଭବନରେ ବ୍ୟବସ୍ଥା କରାଯାଇଛି। ବୁଧବାର ଅପରାହ୍ନରେ ପ୍ରତିନିଧି ଦଳ ଓଡ଼ିଶା ଫେରିବେ ବୋଲି ଜଣାପଡ଼ିଛି।

ଏହି ପ୍ରତିନିଧି ଦଳରେ ବାଚସ୍ପତି ଶ୍ରୀ ଆରୁଖଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଦେବୀ ମିଶ୍ର, ସୁଦାମ ମାର୍ଣ୍ଡି, ଶାରଦା ପ୍ରସାଦ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ ପ୍ରମୁଖ ରହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂ ସାଲୁଜା, ସୁବାସ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର ସାହୁ, ରାଜ କିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାଏକ ଏବଂ କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଗସ୍ତ କରିବେ। କରୋନା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ କାରଣରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶେଷ ମୂହୁର୍ତ୍ତରେ ଏହି ଗସ୍ତରୁ ବାଦ୍‍ ପଡ଼ିଛନ୍ତି। ବିଧାନସଭା ସଚିବାଳୟ ପକ୍ଷରୁ ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଦୀନକୃଷ୍ଣ କର, ଓଏସ୍‍ଡି ବିଜୟ କୁମାର ସାହୁ ଏବଂ ସେକ୍ସନ ଅଫିସର ବିଭୂତି ଭୂଷଣ ପଟ୍ଟନାୟକ ମଧ୍ୟ ନୂଆଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି।

About The Author: The Sakala