ଭୁବନେଶ୍ବର : କୋଭିଡ଼ ଟିକା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଆଜି ସୁଦ୍ଧା ରାଜ୍ୟରେ ୪କୋଟି ଟପିଛି କରୋନା ଟିକାକକରଣ । ଏନେଇ ଟୁଇଟ କରି ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।ସେହିପରି ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ସଂପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ଟିକାକରଣ କେନ୍ଦ୍ରକୁ ୧୬ଶହରୁ ୨୪ଶହକୁ ବୃଦ୍ଧି କରାଯାଇଛି ଏବଂ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରେ ମଧ୍ୟ ଟିକା ଦିଆଯିବା ପାଇଁ ବ୍ୟବସ୍ଥା ହେଉଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।
ଯେଉଁ ଗାଁରେ ଶହେରୁ ଅଧିକ ଲୋକ ଟିକା ନେଇନାହାନ୍ତି ସେଠାରେ ଅଧିକ ଟିକା କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ଏବେ ବି ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛନ୍ତି। ଚଳିତ ମାସ ୨ତାରିଖରୁ ହର୍ ଘର କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡୋଜ ୩୫ପ୍ରତିଶତରୁ ବଢି ୪୦ ପ୍ରତିଶତ ହୋଇଛି। ୮୨ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୪୧ପ୍ରତିଶତ ଲୋକ ଉଭୟ ଡୋଜ ନେଇସାରିଥିବା କହିଛନ୍ତି ବିଜୟ ମହାପାତ୍ର।
ଟିକାଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସ୍ଵାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇରେ ଏହା ବଡ଼ ବିଜୟ ବୋଲି କହିଛନ୍ତି।