ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। ଓଡ଼ିଶା ସରକାର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ୨୫୭ ପ୍ରତିଶତ ରୁ ୨୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ୧ ଜାନୁଆରୀ ୨୦୨୬ ରୁ ପିଛିଲା ଭାବେ ଲାଗୁ ହେବ।
ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ, ବିଶ୍ୱବିଦ୍ୟାଳୟର ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀ, ଅଧସ୍ତନ ନ୍ୟାୟିକ ଅଧିକାରୀ, ୱାର୍କ-ଚାର୍ଜଡ୍ କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ବିଜ୍ଞପ୍ତିରେ କୁହାଯାଇଛି ଯେ ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୨୦୨୬ ର ଦରମାରେ ପ୍ରତିଫଳିତ ହେବ। ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ବକେୟା ମହଙ୍ଗା ଭତ୍ତା ମଧ୍ୟ କର୍ମଚାରୀମାନେ ପାଇବେ ।