ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର; ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି

ଭୁବନେଶ୍ୱର: ପୁଣି ବସ୍‌ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର । ଡିଜେଲ ଦରରେ ଅହେତୁକ ବୃଦ୍ଧି ପରେ ଓଡ଼ିଶା ସରକାର ରାଜ୍ୟରେ ସମସ୍ତ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ହୋଇଛି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢିଛି । ସେହିପରି ସୁପର ଡିଲକ୍ସ ବସ ଭଡା କିଲୋମିଟର ପିଛା ୬ ପଇସା ବଢିଛି । ଜୁନ୍ ୨ ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ ଏହି ନୂତନ ଦର ଲାଗୁ ହୋଇଛି। ତେବେ ଟାଉନ୍ ବସ୍ ଗୁଡ଼ିକୁ ବାଦ୍ ଦେଲେ ରାଜ୍ୟରେ ଚଳାଚଳ କରୁଥିବା ଅନ୍ୟ ସମସ୍ତ ଷ୍ଟେଜ୍ କ୍ୟାରେଜ୍ କ୍ଷେତ୍ରରେ ଏହି ବର୍ଦ୍ଧିତ ଭଡ଼ା ଲାଗୁ ହେବ।

ବିଗତ କିଛି ଦିନ ମଧ୍ୟରେ ଡିଜେଲ ଦରରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ମେ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫.୮୭ ଟଙ୍କା ଥିବାବେଳେ ମେ ୩୧, ୨୦୨୬ ସୁଦ୍ଧା ଏହା ୧୦୦.୬୮ ଟଙ୍କାରେ ପହଞ୍ଚିଥିଲା। ଫଳରେ ଲିଟର ପିଛା ପ୍ରତ୍ୟକ୍ଷ ଭାବେ ୪.୮୧ ଟଙ୍କା ବୃଦ୍ଧି ପାଇବା କାରଣରୁ ବସ୍ ମାଲିକମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସଂଶୋଧିତ ତାଲିକା ଅନୁଯାୟୀ, ବର୍ତ୍ତମାନ ସାଧାରଣ ବା ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୯୦ ପଇସା ବଦଳରେ ୯୨ ପଇସା ଆଦାୟ କରାଯିବ। ସେହିପରି ଏକ୍ସପ୍ରେସ୍ ବସ୍ ଗୁଡ଼ିକରେ କିଲୋମିଟର ପିଛା ଭଡ଼ା ୯୪ ପଇସାରୁ ବୃଦ୍ଧି ପାଇ ୯୬ ପଇସା ହୋଇଛି।

ଅନ୍ୟପକ୍ଷରେ ଡିଲକ୍ସ ଏବଂ ଏସି ବସ୍ ଗୁଡ଼ିକର ଭଡ଼ା ମଧ୍ୟ ସମାନୁପାତିକ ଭାବେ ବୃଦ୍ଧି ପାଇଛି। ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧.୩୧ ଟଙ୍କାରୁ ବଢ଼ି ୧.୩୫ ଟଙ୍କା ହୋଇଥିବା ବେଳେ, ଏସି ଡିଲକ୍ସ ଭଡ଼ା ୧.୫୯ ଟଙ୍କାରୁ ୧.୬୩ ଟଙ୍କା ଏବଂ ସୁପର୍ ଡିଲକ୍ସ ବସ୍ ଭଡ଼ା ୨.୪୭ ଟଙ୍କାରୁ ବୃଦ୍ଧି ପାଇ ୨.୫୩ ଟଙ୍କାରେ ପହଞ୍ଚିଛି।

ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇନ୍ଧନ ମୂଲ୍ୟରେ କ୍ରମାଗତ ବୃଦ୍ଧି ଏବଂ ବସ୍ ମାଲିକମାନଙ୍କ ବ୍ୟବସାୟିକ ସ୍ଥିରତାକୁ ଦୃଷ୍ଟିରେ ରଖି ଏହି ସମନ୍ୱୟ ରକ୍ଷା କରାଯାଇଛି। ନିର୍ଦ୍ଦେଶନାମା ପ୍ରକାଶ ପାଇବା କ୍ଷଣି ଏହି ନୂତନ ଭଡ଼ା ତୁରନ୍ତ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

About The Author: Madhusudan Das