ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ପାଇଁ ବଡ଼ ଘୋଷଣା: ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ମିଳିବ ମାସିକ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଅଧ୍ୟକ୍ଷମାନଙ୍କୁ ସେମାନଙ୍କର ନିଯୁକ୍ତି ସ୍ଥାନ ଏବଂ ସେଠାକାର ଭୌଗୋଳିକ ଅବସ୍ଥିତି ଆଧାରରେ ୫,୦୦୦ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ମାସିକ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ବିଶେଷ କରି ଦୂରଦୂରାନ୍ତ ଏବଂ ଦୁର୍ଗମ ଅଞ୍ଚଳରେ ଶିକ୍ଷାଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ଅଭିଜ୍ଞ ଶିକ୍ଷକମାନଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। 

ନୂତନ ନିୟମ ଅନୁଯାୟୀ, ଯେଉଁ ଅଧ୍ୟକ୍ଷମାନେ ନିଜ ଜିଲ୍ଲା କିମ୍ବା ବିକଶିତ ସହରାଞ୍ଚଳରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ମାସିକ ୫,୦୦୦ ଟଙ୍କା ମିଳିବ। ଯେଉଁମାନେ ନିଜ ଜିଲ୍ଲା ବାହାରେ କାର୍ଯ୍ୟ କରୁଛନ୍ତି, ସେମାନେ ୭,୦୦୦ ଟଙ୍କା ପାଇବାକୁ ଯୋଗ୍ୟ ହେବେ। ସେହିପରି, ନିଜ ଜିଲ୍ଲା କିମ୍ବା ବାସଭବନଠାରୁ ୩୦୦ କିଲୋମିଟରରୁ ଅଧିକ ଦୂରରେ କାର୍ଯ୍ୟ କରୁଥିବା ଅଧ୍ୟକ୍ଷମାନଙ୍କୁ ୯,୦୦୦ ଟଙ୍କା ଏବଂ ଅତି ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ନିୟୋଜିତ ଅଧ୍ୟକ୍ଷମାନଙ୍କୁ ମାସିକ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ପୋଷ୍ଟିଂ ସ୍ଥାନଗୁଡ଼ିକର ଶ୍ରେଣୀବିଭାଗ ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ନିର୍ଦ୍ଧାରଣ କରାଯିବ। 

ଏହାଦ୍ୱାରା ପ୍ରାୟ ୬୪୧ଟି କଲେଜ ର ଅଧ୍ୟକ୍ଷମାନେ ଲାଭବାନ ହେବେ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି। ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ନୂତନ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।

About The Author: Madhusudan Das