ଭୁବନେଶ୍ୱର : ସମଗ୍ର ବିଶ୍ୱରେ ସବୁଜ ଶକ୍ତି ଏକ ପ୍ରମୁଖ ଆବଶ୍ୟକତା ପାଲଟିଛି। ଆଗାମୀ ୨୦୨୫ ସୁଦ୍ଧା ଭାରତ ଅନ୍ୟ ଦେଶକୁ ସବୁଜ ଶକ୍ତି ରପ୍ତାନୀ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଓଡ଼ିଶାକୁ ଦେଶର ଶିଳ୍ପାୟନର ପ୍ରମୁଖ କେନ୍ଦ୍ର ଭାବରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ଓଡ଼ିଶା ମଧ୍ୟ ସବୁଜ ଶକ୍ତିକୁ ବିଶେଷ ଗୁରୁତ୍ୱ ଦେଉଛି। ଆଗାମୀ ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପୂର୍ବରୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ଓଡ଼ିଶା ସରକାର। ଅନୁରୂପ ଭାବରେ ରାଜ୍ୟରେ ଯେପରି ସୌର ଶକ୍ତିର ବ୍ୟବହାର ପାଇଁ ଏକ ସ୍ୱତନ୍ତ୍ର ଏସଓପି ଅନୁଯାୟୀ କାର୍ଯ୍ୟକ୍ଷମ ହୋଇପାରିବ ସେନେଇ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ବିଚାରବିମର୍ଶ ଆରମ୍ଭ କରିଛନ୍ତି। ଆସନ୍ତା ନଭେମ୍ବର ୩ ତାରିଖ ସୁଦ୍ଧା ଓରେଡା ଏ ସମ୍ପର୍କିତ ଏକ ମଡେଲ ଏସଓପି ପ୍ରସ୍ତୁତ କରି ଓଇଆରସି ନିକଟରେ ଦାଖଲ କରିବ। ଏହାପରେ ଓଇଆରସି ଏ ସମ୍ବନ୍ଧୀୟ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟରେ ସବୁଜ ଶକ୍ତିର ଉତ୍ପାଦନ ଏବଂ ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ କ୍ରମଶଃ ସଚେତନ ହେଉଛନ୍ତି। କିଛି ଉପଭୋକ୍ତା ଏ ସଂକ୍ରାନ୍ତରେ ଓଇଆରସିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଓଇଆରସି ପ୍ରାଥମିକ ଶୁଣାଣିରେ ଉପଭୋକ୍ତାଙ୍କ ଆବେଦନକୁ ଗ୍ରହଣ କରି ସାଧାରଣ ଲୋକମାନେ ଯେପରି ସହଜରେ ସୌର ଶକ୍ତିର ବ୍ୟବହାର କରିପାରିବେ ସେନେଇ ଏକ ମଡେଲ ଏସଓପି ପ୍ରସ୍ତୁତ କରିବାକୁ ଓଇଆରସିଙ୍କ ପକ୍ଷରୁ ଓରେଡାକୁ ନିର୍ଦ୍ଦେଶ ଦିଆଯାଇଛି। ଓରେଡା ଆସନ୍ତା ନଭେମ୍ବର ୩ ତାରିଖ ସୁଦ୍ଧା ଏହି ଏସଓପି ଓଇଆରସିଙ୍କୁ ପ୍ରଦାନ କରିବ। ଏହାପରେ ନଭେମ୍ବର ୧୧ ତାରିଖ ମଧ୍ୟରେ ଆବେଦନକାରୀ ଏବଂ ଅନ୍ୟମାନେ ଓରେଡାର ଏହି ଏସ୍ଓପି ସମ୍ପର୍କରେ ନିଜର ମତାମତ ଓଇଆରସିଙ୍କ ନିକଟରେ ରଖିପାରିବେ। ମାମଲାର ପରବର୍ତ୍ତୀ ତଥା ଚୂଡ଼ାନ୍ତ ଶୁଣାଣି ଆସନ୍ତା ନଭେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଓଇଆର୍ସି ଏସଓପିକୁ ନେଇ ଓରେଡା ଏବଂ ଆବେଦନକାରୀଙ୍କ ମତାମତକୁ ତର୍ଜମା କରିବେ। ସେହିଦିନ ଓଇଆରିସଙ୍କ ପକ୍ଷରୁ ଚୂଡ଼ାନ୍ତ ନିର୍ଦ୍ଦେଶନାମା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଓଇଆରସି ଯଦି ଏନେଇ ଏକ ବଳିଷ୍ଠ ତଥା ଉପଯୋଗୀ ଏସଓପି ସପକ୍ଷରେ ରାୟ ପ୍ରଦାନ କରନ୍ତି ତାହେଲେ ସବୁଜ ଶକ୍ତି କ୍ଷେତ୍ରରେ ଏହା ରାଜ୍ୟରେ ଏକ ନୂଆ ସମ୍ଭାବନାକୁ ଜନ୍ମ ଦେବ ବୋଲି ଶକ୍ତି ସମୀକ୍ଷକମାନେ ମତ ରଖିଛନ୍ତି।
ସୋଲାର ରୁଫ ଟପ୍ ପ୍ରକଳ୍ପରେ ବିଲିଂଠାରୁ ଆରମ୍ଭ କରି ନେଟ୍ ମିଟରିଂ ପର୍ଯ୍ୟନ୍ତ ବିତରକ କମ୍ପାନୀଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲେ ହେଁ ସେମାନେ ଏନେଇ ବିଶେଷ ତତ୍ପରତା ଦେଖାଉନାହାନ୍ତି। ପୁନଶ୍ଚ କେତେକ ଗ୍ରାହକ ସୋଲାର ରୁଫ ଟପ୍ ପ୍ରକଳ୍ପ ସ୍ଥାପିତ କରୁଥିଲେ ହେଁ ସଠିକ୍ ସମୟରେ ସେମାନଙ୍କୁ ସବ୍ସିଡି ବାବଦରେ ଥିବା ଅର୍ଥ ମିଳୁ ନ ଥିବା ଅମଧ୍ୟ ଅଭିଯୋଗ ହୋଇଛି। ରାଜ୍ୟ ସରକାର ପୂର୍ବରୁ ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗାୱାଟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିଲେ। ସାଧାରଣ ଲୋକେ ସୌର ଶକ୍ତି ପ୍ରତି ଆଗ୍ରହୀ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ୟ ଖୁବ୍ ଶୀଘ୍ର ପୂରଣ ହେବା ନେଇ ଆଶା ଉଜ୍ଜ୍ୱଳ ହୋଇଛି। ମାତ୍ର ବିଦ୍ୟୁତ୍ ବିତରକ ସଂସ୍ଥାଗୁଡ଼ିକ ଏ ଦିଗରେ ବାଧକ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।
ରାଜ୍ୟ ସରକାର କେବଳ ସୌର ଶକ୍ତି ନୁହେଁ ବରଂ ଜଳବିଦ୍ୟୁତ୍ ଉତ୍ପାଦନକୁ ମଧ୍ୟ ବିଶେଷ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାରଙ୍କ ଆବେଦନ ପରେ ନିକଟରେ କଳାହାଣ୍ଡି ସ୍ଥିତ ଅପର ଇନ୍ଦ୍ରାବତୀଠାରେ ଏକ ପମ୍ପ ଷ୍ଟୋରେଜ(ହାଇଡ୍ରୋ ପାୱାର) ପ୍ରୋଜେକ୍ଟ ପ୍ରସ୍ତାବକୁ କେନ୍ଦ୍ରୀୟ ଜଳ ଆୟୋଗ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୬୦୦ ମେଗାୱାଟର ଏହି ଜଳବିଦ୍ୟୁତ୍ ପ୍ରକଳ୍ପକୁ ସିଡବ୍ଲ୍ୟୁସି ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏଥିରୁ ରାଜ୍ୟକୁ ବାର୍ଷିକ ପ୍ରାୟ ୧୦୪୦ ନିୟୁତ ୟୁନିଟ୍ ବିଜୁଳି ମିଳିପାରିବ। କେବଳ ଅପର ଇନ୍ଦ୍ରାବତୀ ନୁହେଁ ; ରାଜ୍ୟ ସରକାର ସମାନ ଭାବେ କୋରାପୁଟର ଅପର କୋଲାବ ଏବଂ ମାଲକାନଗିରିର ବାଲିମେଳାଠାରେ ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ଯାହା ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।