CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଭୁବନେଶ୍ୱରରେ CEO ଅଫିସ୍ ଘେରାଉ କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: SIR ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇବା ସହିତ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ନିର୍ବାଚନୀ ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ନେଇ ଏକ ଜାତୀୟ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଏହି କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବହୁ ଦଳୀୟ ନେତା ଓ କର୍ମୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସିଇଓ ଅଫିସ ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଧାବାଟରେ ଅଟକାଇବା ସହ ଅନେକ ନେତା ଓ କର୍ମୀଙ୍କୁ ଅଟକ ରଖିଥିଲା। ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, "ସିଇସି ଜ୍ଞାନେଶ କୁମାରଙ୍କ ଅସଲ ଚେହେରା ପଦାରେ ପଡ଼ିଛି। ସେ 'ଭୋଟ୍ ଚୋରି'କୁ ସମର୍ଥନ କରି ଏକ ଅକ୍ଷମଣୀୟ ଅପରାଧ କରିଛନ୍ତି। ଯଦି ସେ ନିଜ ପଦବୀରେ ରୁହନ୍ତି, ତେବେ ଆମ ଦେଶ ଓ ଗଣତନ୍ତ୍ର ଧ୍ୱଂସ ପାଇଯିବ। ଆମେ ତାଙ୍କର ଇସ୍ତଫା ଓ ଗିରଫଦାରୀ ଦାବି କରୁଛୁ।" ସେହିପରି ବରିଷ୍ଠ ନେତା ତଥା ପୂର୍ବତନ ଓପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି ଯେ ବିଜେପି ସରକାର ଗଣତନ୍ତ୍ରକୁ ଧ୍ୱଂସ କରିଦେଇଛନ୍ତି ଏବଂ ଏଥିରେ ଜ୍ଞାନେଶ କୁମାର ସେମାନଙ୍କୁ ସାହାଯ୍ୟ କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଦମ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ 'ଭୋଟ୍ ଚୋରି' ଅଭିଯୋଗ ଏବେ ସତ ପ୍ରମାଣିତ ହୋଇଛି ଏବଂ ସିଇସିଙ୍କ ଇସ୍ତଫା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।

ବୁଧବାର ଦିନ ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ୧୦ ମାସ ମଧ୍ୟରେ ନିର୍ବାଚନ କମିଶନର ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଯୋଶୀ ଅତିକମରେ ୧୪ ଥର ବିଭିନ୍ନ ନିଷ୍ପତ୍ତିକୁ ନେଇ ଆପତ୍ତି ଉଠାଇଥିଲେ। ସେମାନଙ୍କ ଅଜାଣତରେ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ବୋଲି ରିପୋର୍ଟରେ ଦାବି କରାଯାଇଥିଲା। 

ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ନିର୍ବାଚନ ଆୟୋଗ (ଇସି) କହିଛନ୍ତି ଯେ କୌଣସି ଅନୁଷ୍ଠାନରେ ଭିନ୍ନ ମତ ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଆୟୋଗର ସମସ୍ତ ଆଦେଶର ଆଇନଗତ ମାନ୍ୟତା ରହିଛି ଏବଂ ଏହା ନିର୍ଦ୍ଧାରିତ ବୈଧାନିକ ପ୍ରକ୍ରିୟା ଅନୁଯାୟୀ କରାଯାଇଛି। କେବଳ ତିନିଜଣ ନିର୍ବାଚନ କମିଶନର ନୁହଁନ୍ତି ବରଂ ଆୟୋଗର ପ୍ରତ୍ୟେକ ଅଧିକାରୀ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ପରାମର୍ଶ ଦେବାର ଅଧିକାର ରଖିଛନ୍ତି ବୋଲି ଇସି ପକ୍ଷରୁ ସ୍ପଷ୍ଟ କରାଯାଇଛି।

About The Author: Madhusudan Das