ତାମିଲନାଡୁ ଗ୍ୟାସ୍ ଲିକ୍ ଅଘଟଣ: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି । CMRFରୁ ଘୋଷଣା ହୋଇଥିବା ୪ ଲକ୍ଷର ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି  ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। 

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF) ରୁ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସ୍ଥିର କରାଯାଇଥିଲା। ତେବେ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାର ପରିସ୍ଥିତିର ସମୀକ୍ଷା କରି ଏହି ସହାୟତା ରାଶିକୁ ବୃଦ୍ଧି କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ପୀଡ଼ିତ ପରିବାରକୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଗତ ରବିବାର (ଜୁନ୍ ୨୧ ତାରିଖ) ଦିନ ତାମିଲନାଡୁର ତିରୁଭାଲୁର ଠାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ଅଘଟଣରେ ଓଡ଼ିଶାରୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ସମେତ ଅନେକ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

About The Author: Madhusudan Das