ଭୁବନେଶ୍ବର: ଆଜି ୭୮ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ନବୀନ। ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଭଗବାନଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି।
ସେହିପରି ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଜଗତର ନାଥ ଜଗନ୍ନାଥଙ୍କ ଅପାର ଆଶୀର୍ବାଦରୁ ଆପଣଙ୍କ ଚଲାପଥ କୁସୁମିତ ହେଉ ବୋଲି ପ୍ରମିଳା କହିଛନ୍ତି।
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି ଧର୍ମେନ୍ଦ୍ର।
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସେ ଲେଖିଛନ୍ତି ଯେ, ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା, ଯିଏ ଆମକୁ ନେତୃତ୍ୱ, ମାର୍ଗଦର୍ଶନ ଏବଂ ଓଡିଶାର ସାଢେ ଚାରିକୋଟି ଲୋକଙ୍କ ପାଇଁ ଉତ୍ସର୍ଗୀକୃତ, ଉତ୍ସାହ ଏବଂ କରୁଣାରେ ସେବା ଜାରି ରଖିଛନ୍ତି । ମହାପ୍ରଭୂ ଜଗନ୍ନାଥ ଆପଣଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ସହିତ ଗୌରବ ଦେଇ ଆଶୀର୍ବାଦ କରନ୍ତୁ ।
ସେହିପରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମାଆ କାମକ୍ଷାଙ୍କୁ ତାଙ୍କର ଦୀର୍ଘ ଜୀବନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ନିଆରା ଭାବେ ବାଲୁକାକଳା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।